୧୫ ଦିନ ପାଇଁ ଓଡିଶାରେ ଲକଡାଉନ ଘୋଷଣା

i and pr

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାରା ରାଜ୍ୟରେ ୧୫ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଏନେଇ ରାଜ୍ୟ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଆସନ୍ତା ୫ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ ସମୟରେ ଜରୁରୀ ସେବାକୁ ଛାଡି ଦେଲେ ସବୁ କିଛି ବନ୍ଦ ରହିବ । ତେବେ ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ର ରାଜ୍ୟ ମୁଖ୍ୟ ଶାସନ ସଚିବ । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାତା ବନ୍ଦ ରହିବ । ଅନ୍ୟପଟେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ, ନର୍ସିଂ, ହୋମ, ମେଡିସିନ ଷ୍ଟୋର ଆଦି ଖୋଲା ରହିବ । ଏହା ସହ ରେଳ ଓ ବିମାନ ସେବା ଜାରି ରହିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଲକଡାଉନ ଅବଧି ମଧ୍ୟରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ଲାଗୁ ରହିବ ।
ଘର ଠାରୁ ୫୦୦ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଭିତରେ ଅତ୍ୟାବଶ୍ୟକ ସମାଗ୍ରୀ ଲୋକେ କିଣିପାରିବେ । ତେବେ ଚାଲି ଚାଲି ଯାଇ ଲୋକେ ପନିପରିବା ଇତ୍ୟାଦି କିଣି ପାରିବେ ବୋଲି କୁହାଯାଇଛି ।
ଲକଡାଉନ ସମୟରେ ଟିକାକରଣ ଜାରି ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିବ ।

ଲକଡାଉନ ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ ଚାଲିବନି । ଟ୍ୟାକ୍ସି, ଅଟୋ, ସାଇକେଲ ଓ ରିକ୍ସା ଚଳାଚଳ ସଂମ୍ପୂର୍ଣ୍ଣ ବନ୍ଦ ରହିବ । କେବଳ ହସ୍ପିଟାଲ, କ୍ଲନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ହିଁ ଖୋଲା ରହିବ ।
ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ । ପ୍ରଦର୍ଶନୀ, ମେଳା ଓ ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ ।
ସିନେମା ହଲ, ମଲ, ମାର୍କେଟ ପଂପ୍ଲେକ୍ସ ଓ ଜିମ ବନ୍ଦ ରହିବ । ଯାତ୍ରା, ଅପେରା ଓ ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ ।

ସେଲୁନ, ପାର୍ଲର ଓ ସ୍ପା ସଂମ୍ପୂର୍ଣ୍ଣ ବନ୍ଦ ରହିବ । ସାମାଜିକ, ଧାର୍ମିକ, କ୍ରୀଡା ଓ ରାଜନୈତିକ ସମାବେଶ ବନ୍ଦ ରହିବ ।
-ବିବାହ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ। ବିବାହରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ। ସେହିଭଳି ଶୁଦ୍ଧି କାର‌୍ୟ୍ୟରେ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ।

ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବ। ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ଖୋଲା ରହିବ। ସୋମବାରରୁ ଶୁକ୍ରବାର ସକାଳ ୬ରୁ ୧୨ ଯାଏ ଏସବୁ ଖୋଲା ରହିବ।

ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଯା’ଆସ କରିବାକୁ ଅନୁମତି ଦିଆଯାଇଛି।
ଛାପା, ବୈଦ୍ୟୁତିକ ଗଣମାଧ୍ୟମ, ୱେବ୍ ମିଡିଆର କର୍ମଚାରୀମାନେ ଅଫିସ୍ ଯା’ଆସ କରିପାରିବେ। ପେଟ୍ରୋଲ ପମ୍ପ ଖୋଲା ରହିବ। ରନ୍ଧନ ଗ୍ୟାସ୍ ଯୋଗାଣକୁ ବି ଅନୁମତି ମିଳିଛି। ସେହିପରି ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ ।

Related Posts