(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନା ମହାମାରୀ ସମୟରେ ନାଗରିକମାନେ ସୋସିଆଲ ମିଡିଆରେ ଅମ୍ଳଜାନ, ବେଡ୍ ଓ ମେଡିସିନ ଇତ୍ୟାଦି ପାଇଁ ପୋଷ୍ଟ କରୁଛନ୍ତି । ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକ ମାନଙ୍କ ଦ୍ୱାରା ସୋସିଆଲ ମିଡିଆରେ ରଖାଯାଇଥିବା ସୂଚନା ଉପରେ କୌଣସି ବି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ସେମାନେ ଗୁଜବ ପ୍ରଚାର କରିବା ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ସେମାନେ ଅବମାନନା ମାମଲା ରୁଜୁ କରିବେ। ସୁପ୍ରିମକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ , ଜରୁରୀ ଔଷଧ ଓ ବିତରଣ ସୁନିଶ୍ଚିତ କାହିଁକି ହେଉନାହିଁ । କେନ୍ଦ୍ର ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ କୁହାଯାଇଛି, ପ୍ରତି ମାସରେ ଏକ କୋଟି ତିନି ଲକ୍ଷ ରେମଡେସିଭିର ଉତ୍ପାଦନ କ୍ଷମତା ରହିଛି । କିନ୍ତୁ ସରକାର ଚାହିଦା ଓ ବିତରଣ ତଥ୍ୟ କୋର୍ଟରେ ଦେଇନାହାଁନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, କେନ୍ଦ୍ର ସରକାର ଡକ୍ଟରଙ୍କୁ କୁହନ୍ତୁ ରେମଡେସିଭିର ଅଥବା ଫାବିଫ୍ଲୁ ବ୍ୟତୀତ ଅନ୍ୟ ଉପଯୁକ୍ତ ଔଷଧ ନେଇ ରୋଗୀଙ୍କୁ ଜଣାନ୍ତୁ ।
ସୁପ୍ରିମକୋର୍ଟଙ୍କ ଶୁଣାଣିର ୧୦ଟି ମୁଖ୍ୟ ପଏଣ୍ଟ :
୧- ନାଗରିକଙ୍କ ଦ୍ୱାରା ଇଣ୍ଟରନେଟରେ ଉଠାଯାଇଥିବା ଅଭିଯୋଗ ମିଥ୍ୟା ବୋଲି କୌସି ଧାରଣା ହେବା ଉଚିତ ନୁହେଁ ବୋଲି ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।
୨- “ନାଗରିକ କିମ୍ବା ବିଚାରପତି ଭାବରେ ଏହା ମୋ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ଯେ, ଯଦି ନାଗରିକମାନେ ସେମାନଙ୍କର ଅଭିଯୋଗ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି, ତେବେ ଆମେ ସୂଚନା ଉପରେ କଟକଣା ଚାହୁଁ ନାହୁଁ। ଆସନ୍ତୁ ସେମାନଙ୍କ ଅସୁବିଧାକୁ ଶୁଣିବା। ଯଦି ସେମାନେ ବେଡ୍ କିମ୍ବା ଅମ୍ଳଜାନ ଚାହୁଁଛନ୍ତି କିନ୍ତୁ ତାଙ୍କୁ ହଇରାଣ କରାଯାଉଛି ତେବେ ଆମେ ଏହାକୁ ଅବମାନନା ବୋଲି ବିଚାର କରିବୁ । ଆମେ ଏକ ମାନବ ସଙ୍କଟରେ ପଡିଛୁ ।” ବୋଲି ଶୁଣାଣି ସମୟରେ ଜଷ୍ଟିସ୍ ଡି.ୱଇ ଚନ୍ଦ୍ରଚୁଡ୍ କହିଛନ୍ତି। ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ମାନେ ମଧ୍ୟ ବେଡ୍ ପାଇପାରୁ ନାହାଁନ୍ତି ବୋଲି ସେ କହିଛନ୍ତି।
୩- ସରକାରଙ୍କ ଅନୁରୋଧ କ୍ରମେ ଗତ ସପ୍ତାହରେ ଟୁଇଟର ଅନେକ ଟୁଇଟ୍ ଡିଲିଟ୍ କରିଛି। କୋଭିଡ୍ କୁ ନେଇ ଭ୍ରାମକ ତଥ୍ୟା ପ୍ରସାର କରୁଥିବାରୁ ଏହି ପୋଷ୍ଟଗୁଡିକ ଡିଲିଟ କରାଯାଇଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।
୪- ଆସନ୍ତାକାଲି ଠାରୁ ଟୀକାକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହେଉଛି। ଟିକାର ବିଭିନ୍ନ ଦରକୁ ନେଇ ସୁପ୍ରିମକୋର୍ଟ ପଚାରିଛନ୍ତି, “ସରକାର କାହିଁକି ଏହି ସମୟରେ ଉତ୍ପାଦିତ ଶତପ୍ରତିଶତ ଡୋଜ କିଣୁ ନାହାଁନ୍ତି? କେନ୍ଦ୍ର ଏବଂ ରାଜ୍ୟ ପାଇଁ ଦୁଇଟି ମୂଲ୍ୟ କାହିଁକି ରହିବ ? ଏହାର ଆଧାର କ’ଣ?”
୫- ଅଦାଲତ କହିଛନ୍ତି ଯେ ଭାରତ ନିଶ୍ଚିତ ଭାବେ “ଜାତୀୟ ଇମ୍ୟୁନାଇଜେସନ୍ ମଡେଲକୁ ଆପଣେଇବା ଆବଶ୍ୟକ ଯାହାକୁ ଆମେ ସ୍ୱାଧୀନତା ପରଠାରୁ ଅନୁସରଣ କରିଥିଲୁ।” ଅଦାଲତ କହିଛନ୍ତି, ” ଦର ଧାର୍ଯ୍ୟ ନେଇ ଉପୁଜୁଥିବା ସମସ୍ୟା ଗମ୍ଭୀର ଅଟେ। ଟିକା ନେଇ ଗରିବ ଲୋକ ଟଙ୍କା କେଉଁଠୁ ଆଣିବେ ? ଆମେ ପ୍ରାଇଭେଟ୍ ସେକ୍ଟର ମଡେଲ୍ ଆପଣେଇ ପାରିବା ନାହିଁ।”
୬- ରାଜ୍ୟ ତଥା ବେସରକାରୀ ସଂସ୍ଥାଗୁଡ଼ିକୁ ଟିକା ପ୍ରସ୍ତୁତକାରୀଙ୍କଠାରୁ ସିଧାସଳଖ ଡୋଜ କିଣିବାକୁ ଅନୁମତି ଦେବା ପାଇଁ କେନ୍ଦ୍ର ନୀତି ନିର୍ଦ୍ଧାରଣ କରିଛି। ଟିକା ଉତ୍ପାଦକ କମ୍ପାନୀ ୫୦ ପ୍ରତିଶତ ଟିକାକୁ ଖୋଲା ବଜାର ଓ ଘରୋଇ ସଂସ୍ଥାକୁ ବିକ୍ରି କରିପାରିବେ। ଏହି ନୀତିକୁ ନେଇ ଏବେ କେନ୍ଦ୍ର ସରକାର ସମାଲୋଚନାର ଶିକାର ହୋଇଛି।
୭- ଗତ ସପ୍ତାହରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଉଭୟ COVID-19 ଟିକା ପାଇଁ କେନ୍ଦ୍ର ସରକାରଙ୍କ କ୍ରୟ ମୂଲ୍ୟ ପ୍ରତି ଡୋଜରେ 150 ଟଙ୍କା ରହିବ । ଏହି ବିବାଦ ମଧ୍ୟରେ ଭରତ ବାୟୋଟେକ୍ ରାଜ୍ୟଗୁଡିକ ପାଇଁ ମୂଲ୍ୟ 600 ରୁ 400 ଟଙ୍କାକୁ ହ୍ରାସ କରିଥିବାବେଳେ SII 400 ରୁ 300 ଟଙ୍କାକୁ ହ୍ରାସ କରିଛି।
୮- “ଦିଲ୍ଲୀ ପ୍ରତି କେନ୍ଦ୍ର ସରକାରଙ୍କର ବିଶେଷ ଦାୟିତ୍ୱ ରହିଛି ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଜାତୀୟ ରାଜଧାନୀ ଦେଶର ମାଇକ୍ରୋ ସମସ୍ୟାର ପ୍ରତିନିଧିତ୍ୱ କରୁଛି। ରାଜଧାନୀ ପ୍ରତି ଏକ ଜାତୀୟ କର୍ତ୍ତୃପକ୍ଷ ଭାବରେ ଏହା ହେଉଛି ଦିଲ୍ଲୀର ନାଗରିକଙ୍କ ପ୍ରତି ତୁମର ପ୍ରତିବଦ୍ଧତା “ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।
୯- “ଦିଲ୍ଲୀର ଗ୍ରାଉଣ୍ଡ ସ୍ଥିତି ହେଉଛି, ଅମ୍ଳଜାନ ଉପଲବ୍ଧ ନାହିଁ। କେବଳ ଦିଲ୍ଲୀରେ ନୁହେଁ ଗୁଜୁରାଟ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ମଧ୍ୟ ଆମେ ଆଜି ଏବଂ ପରବର୍ତ୍ତୀ ଶୁଣାଣି ଦେଖିବାକୁ ଯାଉଛୁ କି ଆପଣ କେତେ ଅମ୍ଳଜାନ ଯୋଗାଇବାକୁ ଯାଉଛନ୍ତି? ” ବୋଲି ଜଷ୍ଟିସ ଚନ୍ଦ୍ରଚୁଡ ପଚାରିଥିଲେ। ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିୱାଲ-ସରକାରଙ୍କୁ କହିଛନ୍ତି ଯେ ଏହା “ରାଜନୈତିକ ବିବାଦର ସମୟ ନୁହେଁ ଏହା କେନ୍ଦ୍ର ସହ ସହଯୋଗ କରିବା ଉଚିତ।”
୧୦- କେନ୍ଦ୍ର ସରକାର ଅଦାଲତକୁ କହିଛନ୍ତି ଯେ , “ଦିଲ୍ଲୀକୁ ଅମ୍ଳଜାନ ଟ୍ୟାଙ୍କର ପରିବହନ ଏକ ବଡ଼ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଏବଂ ଏହା ଶୀଘ୍ର ସମାଧାନ ହେବ। ସରକାର କହିଛନ୍ତି, “ଦିଲ୍ଲୀର ସମସ୍ୟା ତୀବ୍ର, କାରଣ ଏହା ଏକ ଅଣ-ଔଦ୍ୟୋଗିକ ରାଜ୍ୟ। ମୋଟାମୋଟି ଭାବେ ଆମେ ସମସ୍ତ ରାଜ୍ୟକୁ ଅମ୍ଳଜାନ ଯୋଗାଉଛୁ। ଅମ୍ଳଜାନ ଯୋଗାଣ ପାଇଁ ଭର୍ଚୁଆଲ୍ କଣ୍ଟ୍ରୋଲ୍ ରୁମ୍ 24×7 କାର୍ଯ୍ୟ କରୁଛି ।”