କଟିଲା କେଜ୍ରିୱାଲ ଙ୍କ ଡେଣା, ଅନୀଲ ବାଇଜଲ୍ ହିଁ ଏବେ ଦିଲ୍ଲୀ ସରକାର ର ଅସଲ ମୁଖ୍ୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାରା ଦେଶ କରୋନା ର କରାଳ ଆଁ ରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେଉଥିବା ବେଳେ ରାଜଧାନୀ ଦିଲ୍ଲୀ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି | କରୋନାର ଦ୍ୱିତୀୟ ଲହର ଲୋକଙ୍କ ଜନଜୀବନକୁ ଦୁର୍ବିସହ ଓ ଅସ୍ତବ୍ୟସ୍ତ କରୁଥିବା ବେଳେ ଦିଲ୍ଲୀରେ ଏକ ନୂଆ ଆଇନ ଲାଗୁ କରିଛନ୍ତି କେନ୍ଦ୍ର ସରକାର | ନିର୍ବାଚିତ ସରକାରଙ୍କ ତୁଳନାରେ ଉପରାଜ୍ୟପାଳ ଅନୀଲ ବାଇଜଲ୍ ଙ୍କୁ ମିଳିଛି ସର୍ବୋଚ୍ଚ କ୍ଷମତା । ଅର୍ଥାତ ଦିଲ୍ଲୀ ପାଇଁ କେନ୍ଦ୍ର ସରକାର (Government of National Capital Territory of Delhi) ଜିଏନସିଟିଡି ସଂଶୋଧିତ ଅଧିନିୟମ ୨୦୨୧ ଲାଗୁ କରିଛନ୍ତି । ଯାହା ଦିଲ୍ଲୀରେ ସରକାର ଅର୍ଥ ଉପରାଜ୍ୟପାଳଙ୍କୁ ବୁଝାଇବ । ଏପ୍ରିଲ ୨୭ ରୁ ଏହା କାର୍ଯ୍ୟକାରୀ ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ପୂର୍ବରୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ଆଇନକୁ ମିଳିଥିଲା ସ୍ୱୀକୃତି । ପ୍ରତ୍ୟକ୍ଷ ନିର୍ବାଚିତ ଜନପ୍ରତିନିଧିଙ୍କ ଠାରୁ ଉପ ରାଜ୍ୟପାଳଙ୍କୁ ଏହି ବିଲ୍‌ ଅଧିକ କ୍ଷମତାଶାଳୀ କରିଦେଉଥିବାରୁ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଆସୁଥିଲେ। ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭା ଓ ରାଜ୍ୟସଭାରେ ଏହା ପାରିତ ହୋଇଥିଲା। ରାଜ୍ୟସଭାରେ ମାର୍ଚ୍ଚ ୨୪ ତାରିଖ ଓ ଲୋକସଭାରେ ମାର୍ଚ୍ଚ ୨୨ ତାରିଖ ରେ ଏହାକୁ ମଞ୍ଜୁରୀ ମିଳିଥିଲା । ଏବଂ ଯେତେବେଳେ ସଂସଦରେ ଏହାକୁ ପାରିତ କରାଯାଇଥିଲା ଭାରତୀୟ ଲୋକତନ୍ତ୍ର ପାଇଁ ଦୁଃଖର ଦିନ ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆମେ ଲୋକଙ୍କୁ କ୍ଷମତା ଦେବା ପାଇଁ ଆମ ସଂଘର୍ଷ ଜାରି ରଖିବୁ | ଯେତେ ପ୍ରକାର ସମସ୍ୟା ଆସିଲେ ସୁଦ୍ଧା ଆମେ ସର୍ବଦା ଜନଗଣଙ୍କ ପାଇଁ କାମ କରୁଛୁ ଓ କରିବୁ ବୋଲି ମଧ୍ୟ କହିଥିଲେ | ସୂଚନାଯୋଗ୍ୟ ଦିଲ୍ଲୀର ବିଧାନସଭା ନିର୍ବାଚନ ୨୦୨୦ରେ ସମୁଦାୟ ୭୦ ଆସନରୁ ‘ଆମ ଆଦମୀ ପାର୍ଟି ’ ହାତର ରହିଥିଲା ୬୨ ଟି ଆସନ | କେବଳ ୮ ଟି ଆସନରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଥିଲା | ଏବଂ କଂଗ୍ରେସ ବିଫଳତା ରେ ରହି ଖାତା ଖୋଲିପାରିନଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାରମ୍ବାର କେନ୍ଦ୍ର ବିଜେପି ସରକାର ଉପରେ ଅଭିଯୋଗ ଆଣି ସମାଲୋଚନା କରୁଥିଲେ | ଆହୁରି ମଧ୍ୟ କହୁଥିଲେ ଦିଲ୍ଲୀ ସରକାରଙ୍କ ସମସ୍ତ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ଉପରାଜ୍ୟପାଳଙ୍କୁ ସଖିକଣ୍ଢେଇ ଭଳି ବ୍ୟବହାର କରୁଛନ୍ତି । ମାନ୍ୟବର ସର୍ବୋଚ୍ଚନୟାଳୟ ୨୦୧୮ ମସିହା ଜୁଲାଇ ମାସରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟର ଶୁଣାଣି କରିଥିଲେ । ଯେଉଁଥିରେ ନ୍ୟାୟାଳୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେକି ନିଷ୍ପତ୍ତି ନେବାର କୌଣସି ଅଧିକାର ଉପରାଜ୍ୟପାଳଙ୍କ ନିକଟରେ ନାହିଁ | ସେ କେବଳ ଜନତାଙ୍କ ଦ୍ୱାରା ପ୍ରତ୍ୟକ୍ଷ ନିର୍ବାଚିତ ସରକାରଙ୍କ ଆଦେଶ ଅନୁସାରେ କାର୍ଯ୍ୟ କରିବେ |

Related Posts