(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ନଗଡାର ଚିତ୍ର ହେଉ କିମ୍ବା ଶିଶୁ ବିକ୍ରି ଓଡ଼ିଶାରେ କମିବାରେ ନା ନେଉନାହିଁ । ଜାତୀୟ ମାନବ ଅଧିକାର ଆୟୋଗ (NHRC) ଗରିବ ଶିଶୁମାନଙ୍କ ସହିତ ହେଉଥିବା ନିର୍ଯାତନା ଉପରେ ଏକ ଗୁରୁତ୍ୱ ପୂର୍ଣ୍ଣ ଶୁଣାଣି କରିଛନ୍ତି । ସେ କହିଛନ୍ତି ଶିଶୁଙ୍କ ଉପରେ ନିର୍ଯାତନା ସହ ଜଡିତ ସମସ୍ତ ଘଟଣାର ଅନୁସନ୍ଧାନ କରାଯିବା ସହ ପୀଡିତାର ସଠିକ୍ ଥଇଥାନ ବ୍ୟବସ୍ତା ପାଇଁ ଓଡିଶା ମୁଖ୍ୟ ସଚିବ ଓ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଓକିଲ ତଥା ବିଶିଷ୍ଟ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ଵାରା ଦାଖଲ ହୋଇଥିବା ଏକ ଆବେଦନ ଏବଂ ପୂର୍ବରୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଜାତୀୟ ମାନବ ଅଧିକାର ଆୟୋଗ (NHRC) ଏହି ନିର୍ଦ୍ଧେଶ ଦେଇଛନ୍ତି। ଏହି ଆବେଦନରେ ତ୍ରିପାଠୀ କହିଛନ୍ତି ଯେ,ଗଞ୍ଜାମ ର ବାରିଗୁଡା ସ୍ଥିତ ନାରାୟଣ ଦାସ ନାମକ ବ୍ୟକ୍ତି ଜଣକ ଏକ ୮ ବର୍ଷର ଝିଅ ଟିକୁ ଅପହରଣ କରିଥିଲା। ସମସ୍ତେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଳନ କୁ ନେଇ ବ୍ୟସ୍ତ ଥିଲେ । ସେହି ସମୟରେ ଝିଅଟିକୁ ଏକୁଟିଆ ଥିବା ବେଳେ ଏପରି ଜଘନ୍ୟ କାଣ୍ଡ ଘଟାଇ ଥିଲେ ବୋଲି ଅଭିଯୋଗ ହୋଇଛି। ନାରାୟଣ ଝିଅଟିକୁ ବୁରୁପଡା କୁ ନେଇ ଯୌନ ଶୋଷଣ କରିଥିଲେ। ମୋବାଇଲ କିଣି ବା ପାଇଁ ଝିଅଟିର କାନଫୁଲକୁ ଦୁଇହଜାର ଟଙ୍କାରେ ବିକ୍ରି କରିଥିଲେ ଓ ଭିକମାଗିବା ପାଇଁ ବିଭିନ୍ନ ସ୍ଥାନରେ ନିୟୋଜିତ କରିଥିଲେ।
ଭୁବନେଶ୍ୱରରେ ପୂର୍ବତନ ମଡେଲଙ୍କ ଦ୍ୱରା ଶିଶୁ ମାନଙ୍କ ପ୍ରତି ଯୌନ ନିର୍ଯାତନା , ଶାରୀରିକ ଏବଂ ମାନସିକ ସ୍ତରରେ ଶୋଷଣ, ବସ୍ତିରୁ ନାବାଳିକାଙ୍କୁ ଭିକ୍ଷା ରାକେଟରେ ନିୟୋଜିତ କରାଯାଉଛି ବୋଲି ତ୍ରିପାଠୀ ଏହା ମଧ୍ୟ ଦାଖଲ କରିଛନ୍ତି। ଭିକ ମାଗିବା, ଯୌନ ଶୋଷଣ ତଥା ଡ୍ରଗ୍ସ କାରବାରରେ ପିଲାମାନଙ୍କୁ ବ୍ୟବହାର କରିବାରେ ଏହା ଓଡିଶା ସରକାରଙ୍କ ବିଫଳତା ବୋଲି ତ୍ରିପାଠୀ ଆବେଦନ କରିଛନ୍ତି । NHRC ର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ଅଧୀକ୍ଷକ, କ୍ରାଇମ ବ୍ରାଞ୍ଚ, ସିଆଇଡି, କଟକ, ଓଡିଶା ସୂଚନା ଦେଇଛନ୍ତି ଯେ ପୀଡିତାଙ୍କୁ ୧,୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଡିସିପିଙ୍କ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି ଯେ ଅନୁସନ୍ଧାନ ବେଳେ ୧୨ ବର୍ଷ ବୟସ୍କ ସାନା (ମିଥୁନ୍ ମାଜି) ଏବଂ ଚିଙ୍ଗୁଡୁ ଗଡନାୟକ (୧୦) ନାମକ ଦୁଇ ନାବାଳକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି। ଏପରି ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଭିଯୁକ୍ତ ଜିତେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ମଧ୍ୟ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା। ଅନ୍ୟ ଜଣେ ଅଭିଯୁକ୍ତ ନାରାୟଣ (ସଙ୍କର ଦାଶ) ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ କାରାଦଣ୍ଡ ହେବା ସହ ଜୋରିମାନା ଦେଇଥିଲେ। ଏଥିସହ ଏହା ମଧ୍ୟ ଦାଖଲ କରାଯାଇଛି ଯେ ଏଭଳି ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି। ଓଡିଶା ପୁଲିସ ସମେତ ସଂପୃକ୍ତ ଅଧିକାରୀଙ୍କୁ ମଧ୍ୟ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି ଏବଂ ରାଜ୍ୟରେ ଶିଶୁ ଚାଲାଣ ପ୍ରସଙ୍ଗରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ତ୍ରିପାଠୀଙ୍କ ଅଭିଯୋଗ ଶୁଣାଣି ପରେ NHRC କହିଛନ୍ତି ଯେ ବିଭିନ୍ନ ବେଆଇନ ଉଦ୍ଦେଶ୍ୟରେ ଶିଶୁ ଚାଲାଣ ସମସ୍ୟା ଓଡିଶାରେ ହେଉଛି , ଯାହା ପାଇଁ କଡା ତଥା ତୁରନ୍ତ ସରକାରୀ ହସ୍ତକ୍ଷେପ ଆବଶ୍ୟକ ।
Related Posts
-
Copyright © SatyaPatha2021