ମଦ ଦୋକାନ ବନ୍ଦ : ସାନିଟାଇଜର ପିଇ ମହାରାଷ୍ଟ୍ରର ୭ ମୃତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ। ଏଥିପାଇଁ ମହାରାଷ୍ଟ୍ର ସରକାର କରୋନା କଟକଣାକୁ କଡାକଡି କରିଛନ୍ତି। କଟକଣା ପାଇଁ ମଦ ଦୋକାନ ଗୁଡ଼ିକ ବନ୍ଦ ଥିବାରୁ ହ୍ୟାଣ୍ଡସାନିଟାଇଜର ପିଇ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାଟି ମହାରାଷ୍ଟ୍ରର ଯବତମାଲା ଅନ୍ତର୍ଗତ ୱାନି ତହସିଲରେ ଘଟିଛି। ୱାନି ପୁଲିସ୍ ଷ୍ଟେସନର ବୈଭବ ଯାଦବ କହିଛନ୍ତି, ” ଘଟଣାର ତଦନ୍ତ ଏବେ ଚାଲୁଅଛି। ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ଶ୍ରମିକ ଶ୍ରେଣୀର ବୋଲି ସେ କହିଛନ୍ତି। କରୋନା କଟକଣା ଯୋଗୁଁ ମଦ ଦୋକାନ ବନ୍ଦ ଥିବାରୁ କିଛି ଲୋକ ସାନିଟାଇଜରରେ ଆଲକହଲ ଥିବାରୁ ଏହାକୁ ପିଇ ଦେଇଥିଲେ। ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି । ” ମହାରାଷ୍ଟ୍ରରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଗୁରୁବାର କଡା କଟକଣା ଜାରି କରାଯାଇଛି। ସୂଚନାଯୋଗ୍ୟ, ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ 3,46,786 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ 66,386 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଉତ୍ତରପ୍ରଦେଶରୁ 36,605 ଓ କେରଳରୁ 28447 ନୂଆ ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଦେଶର ମୋଟ ଆକ୍ରାନ୍ତଙ୍କ 74.15 ପ୍ରତିଶତ ମହାରାଷ୍ଟ୍ର, ୟୁପି, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, ଗୁଜୁରାଟ ଓ ରାଜସ୍ଥାନରୁ ଚିହ୍ନଟ ହୋଇଛନ୍ତି।

Related Posts