ମାସ୍କ ପିନ୍ଧିଲେ ସୁର ରାଉତରାୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ଖାଲି ପ୍ରହସନ , ମୁଁ ମାସ୍କ ପିନ୍ଧିବିନି ,ଖାଦ୍ୟରେ ରସୁଣ ଦି ପାଖୁଡା ଖାଇଲେ କରୋନା ହେବନି | ମାସ୍କ ପିନ୍ଧିଲେ ମୋର ମନୋବଳ କମିଯିବ | ଏଭଳି ମନ୍ତବ୍ୟ ଦେଇ ସଦାସର୍ବଦା ଚର୍ଚ୍ଚାରେ ରହୁଥିବା ଜଟଣୀ ବିଧାୟକ ସୁରେଶ ରାଉତରାୟ ଶେଷରେ ଆଜି ମାସ୍କ ପିନ୍ଧିଛନ୍ତି | ମହାମାରୀ କରୋନା ର ଦ୍ୱିତୀୟ ଲହରୀ ଯେଭଳି ଭାବେ ଦ୍ରୁତ ଗତିରେ ମାଡିଚାଲିଛି ,ଏହାକୁ ଦୃଷ୍ଟିରେ ରଖି ସେ ମାସ୍କ ଲଗାଇଥିବା ଅନୁମାନ ହେଉଛି | ତାଙ୍କୁ ଅନେକ ସମୟରେ ବିନା ମାସ୍କ ରେ ଦେଖିବାକୁ ମିଳେ |କିନ୍ତୁ ଆଜି ତାଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା | ଏକ ଧଳା ରଙ୍ଗ ବୃତ୍ତାକୃତି ଅଙ୍କା ଥିବା ମାସ୍କ ଲଗାଇ ତାଙ୍କ ସାମାଜିକ ଗଣମାଧ୍ୟମରେ ଛଡାଯାଇଥିଲା | ଅନେକ ସମୟରେ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ସେ ଖୋଲାଖୋଲି ନିୟମ ମାନିବେନାହିଁ କିମ୍ବା ମାସ୍କ ପରିଧାନ କରିବେ ନାହିଁ ବୋଲି କହୁଥିଲେ | ହେଲେ ଏବେ ତାଙ୍କର ଏ ପରିବର୍ତ୍ତନ କୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଯୋର ଧରିଛି | ଅନ୍ୟ ପଟରେ ମହାମାରୀ କରୋନାର କରାଳରୂପ ଯେତେବେଳେ ତାଣ୍ଡବ ରଚୁଥିଲା , ସମସ୍ତେ ସେତେବେଳେ ମାସ୍କ ପରିଧାନ କରୁଥିଲେ ଜଣେ ମାତ୍ର ବ୍ୟକ୍ତି ସୁର ରାଉତରାୟ ଯିଏକି ବିନା ମାସ୍କ ରେ ରହୁଥିଲେ | ଜନପ୍ରତିନିଧି ହିସାବରେ ବିଭିନ୍ନ ଗାଁ ଓ କାର୍ଯ୍ୟକ୍ରମ କୁ ଯାଉଥିଲେ | ସେ ମଧ୍ୟ ବିନା ମାସ୍କ ରେ ଯାଉଥିବା ବେଳେ ଜୋରିମନା ଦେଇଛନ୍ତି | ତେବେ ଏଠାରେ ପ୍ରଶ୍ନ ଉଠେ ଶ୍ରୀଯୁକ୍ତ ରାଉତରାୟ ଙ୍କ ପାଖରେ ଏମିତି କଣ ଅଛି ଯେ ତାଙ୍କୁ କରୋନା ସ୍ପର୍ଶ କରିବ ନାହିଁ | ଯାହା ଫଳରେ ସେ ଦମ୍ଭର ସହ କରୋନା କୁ ମୁକାବିଲା କରିବା ପାଇଁ ସାହସ ଜୁଟାଇ ପାରନ୍ତି | ତାଙ୍କର ସେହି ଗୁପ୍ତ ମନ୍ତ୍ର ଟି କଣ ହୋଇପାରେ ?ସୁର ଭାଇଙ୍କ ଏ ଦୁଃସାହସ ର ରାଜ କଣ ? ସେମିତି କିଛି ଅଛିକି ? ଅନେକ ସମୟରେ ତାଙ୍କର ଜୀବନଚର୍ଯ୍ୟା କୁ ନେଇ ସେ କହନ୍ତି ପଖାଳ ,ମାଛ ଭଜା ଓ ସୁନୁସୁନିଆ ଶାଗ ମୋର ପ୍ରିୟ | ସକାଳୁ ଉଠି ପୋଖରୀ ଗାଧୁଆ ଓ ପରେ ଭାଙ୍ଗ ଟେଳାଏ ଖାଇ ଦେଲେ ଦେହ ପୁରା ସୁସ୍ଥ |ଫୁଲ ରେଡି | ତେବେ ଏହି ପଖାଳ ଓ ବଟା ଟେଳା ତାଙ୍କ ରହସ୍ୟର ରାଜ କି ? ଏହା ଉପରେ ଅଧିକ ଗବେଷଣା ଦରକାର | ସୂଚନାଯୋଗ୍ୟ ମାଡିଚାଲ , ଲଗା ଗୋଟେ କରତାଳି ,ରେଡି ଭଳି ଶବ୍ଦ ବ୍ୟବହାର କରି ସଦାସର୍ବଦା ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ସହ ହାସ୍ୟରୋଳ ସୃଷ୍ଟି କରନ୍ତି | ଜଟଣୀ ନିର୍ବାଚନ ମଣ୍ଡଳୀ ରୁ ସେ ୬ ଥର ବିଧାୟକ ହୋଇଛନ୍ତି | ଚଳିତ ୨୦୧୯ ରୁ ୨୦୨୪ ତାଙ୍କର ଶେଷ ନିର୍ବାଚନ ପ୍ରତିଦ୍ବନ୍ଦିତା ବୋଲି ସେ ଘୋଷଣା କରିଛନ୍ତି |

Related Posts