ଲେଉଟିଲା ସପ୍ତାହନ୍ତ ସଟଡାଉନ

corona


(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି । ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ପଶ୍ଚିମ ଓଡିଶାର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲଗାଯାଇଥିଲା । ତେବେ ଆଜି ମୁଖ୍ୟ ଶାସନ ସଚିବ ୨୦ ଜିଲ୍ଲାର ସହରାଞ୍ଚଲରେ ନାଇଟ କର୍ଫ୍ୟୁ ଲଗାଇବା ସହ ଛତିଶଗଡ ସୀମାବର୍ତ୍ତୀ ୧୦ ଟି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଉକ୍ତ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି । ତେବେ ଏହି ଜିଲ୍ଲା ଗୁଡିକରେ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ କରିବାକୁ ନିଷ୍ପତ୍ତି ହୋଇଛି ଏବଂ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ । ଅନ୍ୟପଟେ ବଳକା ୨୦ ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହୋଇଛି । ଜାରୁରୀକାଳିନ ସେବା ଗୁଡିକୁ ଏଥିରୁ ବାଦ ଦିଆଯାଇଛି । ଅନ୍ୟପଟେ ବାହାର ରାଜ୍ୟରୁ ଓଡିଶା ଆସୁଥିବା ଯାତ୍ରୀମାନଙ୍କୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଏହା ସହ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆସନ୍ତା ୧୯ ତାରିଖରୁ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଅନଲାଇନ କ୍ଲାସ ଆରମ୍ଭ ହେବ । ଏବଂ ନୂତନ ନିର୍ଦେଶନାମା ଅନୁଯାୟୀ ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଥିବା ବେଳେ ବିବାହ ଓ ମାଙ୍ଗଳିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିଛି । ସେହିପରି ଶୁଦ୍ଧିକ୍ରିୟାରେ ୨୦ ଜଣ ସାମିଲ ହୋଇପାରିବେ । ଏବଂ ମୀନାବଜାରରେ ୨୦୦ ଲୋକଙ୍କୁ ଅନୁମତି ମିଳିଥିବା ବେଳେ ଯାତ୍ରା ପରିବେଷଣ ପାଇଁ ସର୍ବାଧିକ ୧୦୦୦ ଲୋକଙ୍କୁ ଅନୁମତି ମିଳିଛି ।

Related Posts