
ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ଆଜି ଦିଲ୍ଲୀରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଅସୁସ୍ଥତା କାରଣରୁ ୬ ଦିନ ପୂର୍ବରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ଦିନ ପ୍ରାୟ ସାଢେ ୧୦ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଭୂପୃଷ୍ଠ ପରିବହନ ଓ କୃଷି ମନ୍ତ୍ରୀ ଥିଲେ ଦେବେନ୍ଦ୍ର ପ୍ରଧାନ । ୧୯୯୮ରୁ ୨୦୦୪ ଯାଏଁ କେନ୍ଦ୍ରରେ ମନ୍ତ୍ରୀ ରହିଥିଲେ । ବିଜେପିରୁ ୨ ଥର ସଂସଦକୁ ନିର୍ବାଚିତ ହୋଇଥିଲେ । ବିଜେପିର ରାଷ୍ଟ୍ରୀୟ ଉପସଭାପତି ଏବଂ ବିଜେପିର ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ । ଦେବେନ୍ଦ୍ର ପ୍ରଧାନ ୧୯୮୮ରୁ ୧୯୯୩ ରାଜ୍ୟ ବିଜେପି ସଭାପତି ଥିଲେ । ୧୯୯୩ରୁ ୧୯୯୫ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ । ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ରାଜ୍ୟ ବିଜେପି ସଭାପତି ରହିଥିଲେ । ତାଙ୍କର ଦେହାନ୍ତ ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି ।
୧୯୯୮ରେ ଦେବଗଡ଼ ଆସନରୁ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ରେ ମଧ୍ୟ ସେ ପୁନର୍ବାର ଲୋକସଭାକୁ ନିର୍ବାଚିତ ହୋଇଥିଲେ ।