୯ ରେ ମ୍ୟାଚ୍, ବାରବାଟୀରେ ନିଆଁ ଲାଗିଲେ ମା’ ଚଣ୍ଡୀ ଭରଷା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରାୟ ୫ ବର୍ଷ ପରେ କଟକର ବାରବାଟୀ ଷ୍ଟାଡିୟମରେ କୌଣସି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ହେବାକୁ ଯାଉଛି। ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ମ୍ୟାଚ ଖେଳାଯିବାକୁ ଅଛି। ଫେବୃଆରୀ ୨ରେ ଅନଲାଇନରେ ଏହାର ଟିକେଟ ବିକ୍ରି ହେବ । ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମ୍ୟାଚର ପ୍ରଥମ ଟିକେଟ କିଣିଛନ୍ତି । ହେଲେ ମ୍ୟାଚ ପୂର୍ବରୁ ଏକ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ପ୍ରାୟ ୪୫ ହଜାର ଦର୍ଶକ ବସିବାର କ୍ଷମତା ରଖିଥିବା ବାରବାଟୀ ଷ୍ଟାଡିୟମରେ ନାହିଁ ଆବଶ୍ୟକ ଅଗ୍ନି ସୁରକ୍ଷା ବ୍ୟବସ୍ଥା। ଅଗ୍ନି ସୁରକ୍ଷା ଆଇନ-୨୦୧୭ ଅନୁସାରେ ପ୍ରାୟ ଅଢ଼େଇ ବର୍ଷ ତଳେ ଷ୍ଟାଡିୟମର ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଂଚ କରିଥିଲା ଅଗ୍ନି ସୁରକ୍ଷା ନିର୍ଦ୍ଦେଶାଳୟ। ମାତ୍ର ବାରମ୍ବାର ପରାମର୍ଶ ସତ୍ତ୍ୱେ ଏ ନେଇ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍, ଓଡ଼ିଶା କ୍ରିକେଟ ଆସୋସିଏସନ୍ ବା ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା ପଦକ୍ଷେପ ନେଇନାହାନ୍ତି ବୋଲି ରାଜସ୍ୱ ବିଭାଗ ସଚିବଙ୍କୁ ଜାନୁଆରୀ ୧୦ ତାରିଖରେ ଚିଠି ଲେଖିଛନ୍ତି ଅଗ୍ନି ସୁରକ୍ଷା ବିଭାଗର ଡିଜି।

ପ୍ରାୟ ୨୨ ଏକର ଜମିରେ ପ୍ରତିଷ୍ଠିତ ଏହି ଷ୍ଟାଡିୟମରେ ନେସନାଲ ବିଲଡିଂ କୋଡ୍-୨୦୧୬ ଅନୁଯାୟୀ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରହିନଥିବା ଦର୍ଶାଇଛି ଅଗ୍ନି ସୁରକ୍ଷା ନିର୍ଦ୍ଦେଶାଳୟ। ୨୦୦୭ରେ ବିଲଡିଂ ପ୍ଲାନ୍ ଆପ୍ରୁଭାଲ୍ ବେଳେ କ’ଣ କମ ରହିଛି ଓ ବର୍ତ୍ତମାନ ସୁଦ୍ଧା କିଭଳି ଅନେକ କଥା ହୋଇପାରିନାହିଁ ସେ ନେଇ ପ୍ରାୟ ୫୦ଟି ପଏଣ୍ଟରେ ଦୁର୍ବଳତା ଦର୍ଶାଇଛନ୍ତି ଡିଜି।

ଚିଠିରେ ଦର୍ଶାଯାଇଛି ଯେ, ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହୋସ ବକ୍‌ସ ନାହିଁ। ସେହିପରି ଅନେକ ସ୍ଥାନରେ ଅଟୋମେଟିକ୍ କିମ୍ବା ମାନୁଆଲ ଫାୟାର ଆଲାର୍ମ ବ୍ୟବସ୍ଥା ନାହିଁ । ଅନେକ ସ୍ଥାନରେ ଇଲେକ୍ଟ୍ରିକ ପମ୍ପ, ଡିଜେଲ ପମ୍ପ, ଜକି ପମ୍ପ ନାହିଁ। ଆବଶ୍ୟକ ଫାୟାର ଏକ୍ସଟିଙ୍ଗୁଇସର ନାହିଁ, ନିଆଁ ଲାଗିଲେ କଣ ପଦକ୍ଷେପ ନେବାକୁ ହେବ ସେନେଇ କୌଣସି କର୍ମଚାରୀଙ୍କୁ ତାଲିମ ମଧ୍ୟ ଦିଆଯାଇନାହିଁ। ସୁରକ୍ଷିତ ଭାବେ ଓହ୍ଲାଇବାକୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅତିରିକ୍ତ ସିଡି ନାହିଁ। ଏପରିକି ନିଆଁ ଲାଗି ଲିଫ୍ଟ ଭିତରେ କେହି ଫସିଲେ, ତାଙ୍କ ସହ ଯୋଗାଯୋଗ କରିବାକୁ ଲିଫ୍ଟ ଗୁଡିକରେ କୌଣସି ଫୋନ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ନାହିଁ |

କଟକରେ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଓଡ଼ିଶା ପାଇଁ ଗର୍ବର ବିଷୟ, ହେଲେ ମ୍ୟାଚ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କାହିଁକି ସଜଡ଼ାଯାଇ ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ବାରବାଟୀରେ ବସି ମ୍ୟାଚ ଦେଖିବା କେତେ ସୁରକ୍ଷିତ ତାଙ୍କୁ ନେଇ ମଧ୍ୟ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

Related Posts