ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବର୍ଷେ ବଢ଼ିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ | ଆଜି ସରକାର ମନୋଜଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି | ଆସନ୍ତା ଡିସେମ୍ବର ୩୧ ତାରିଖରେ ସରୁଥିଲା ମନୋଜଙ୍କ କାର୍ଯ୍ୟକାଳ । ତେବେ ସରକାର ମନୋଜଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିପାରନ୍ତି ବୋଲି ପାୱାର କରିଡ଼ର ରେ ଚର୍ଚ୍ଚା ହେଉଥିଲା। ହେଲେ ତାଙ୍କ କାର୍ଯ୍ୟକାଳ ବର୍ଷେ ବଢାଯାଇଛି |
ତେବେ ରାଜ୍ୟରେ ସରକାର ବଦଳିବା ପରେ ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରୁ ଫେରି ଜୁଲାଇ ୧ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାର ସମ୍ଭାଳିଥିଲେ । କୁହାଯାଏ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର କାଳେ ଅତି ବିଶ୍ବସ୍ତ ବରିଷ୍ଠ ଆଇଏଏସ ଆହୁଜା । କାର୍ଯ୍ୟଭାର ସମ୍ଭାଳିବା ପରେ ମନୋଜଙ୍କ ନେତୃତ୍ବରେ ଚାଷୀଙ୍କୁ ଇନପୁଟ ସବସିଡି, ସୁଭଦ୍ରା ଭଳି ଲୋକାଭିମୁଖି ଯୋଜନାର କ୍ରିୟାନ୍ବୟନ ହୋଇଛି । ଓଡିଶାକୁ ଶିଳ୍ପ କରିଡର ଭାବେ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ରାଜ୍ୟ ବାହାରେ ବଡ ଭୂମିକା ନିଭାଇଛନ୍ତି ମନୋଜ । ଏଥିସହିତ ଆସନ୍ତା ବର୍ଷ ଜାନୁଆରୀ ୭ ଏବଂ ୮ରେ ଭୁବନେଶ୍ୱରରେ କିପରି ପ୍ରବାସୀ ଭାରତୀୟ ସମ୍ମିଳନୀ କାର୍ଯ୍ୟକ୍ରମ ସଫଳତାର ସହ ହେବ ତାହାର ମଧ୍ୟ ନେତୃତ୍ବ ନେଉଛନ୍ତି ମନୋଜ । ଆଉ ଜାନୁଆରୀ ଶେଷ ସପ୍ତାହରେ ଉତ୍କର୍ଷ ଓଡ଼ିଶା ମେଗା ଇଭେଣ୍ଟ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ଉଭୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଙ୍କ ଠାରୁ ନେଇ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ଯୋଗଦେବେ । ତେଣୁ ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପୂର୍ବରୁ ସରକାର ମୁଖ୍ୟ ସଚିବଙ୍କୁ ବଦଳାଇବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ନିଜ କାର୍ଯ୍ୟକାଳ ମାତ୍ର 6 ମାସ ବାକି ଥିବାବେଳେ, ମନୋଜ ରାଜ୍ୟର ମୁଖ୍ୟ ସଚିବ ପଦ ସମ୍ଭାଳିଥିଲେ | ତେଣୁ ତାଙ୍କୁ ଆଉ କିଛିଦିନ ସୁଯୋଗ ଦିଆଯାଇପାରେ ବୋଲି କୁହାଯାଉଥିଲା | ସରକାର ଶେଷରେ ଆଉ ବର୍ଷେ ଅର୍ଥାତ 2025 ଡିସେମ୍ବର 31 ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି |