ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସଂସଦରେ ସିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠେଲି ଦେଇଥିବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି ଖୋଦ ପ୍ରତାପ ଷଡଙ୍ଗୀ। ଆହତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏନେଇ ସାଂସଦ ଷଡଙ୍ଗୀ କହିଛନ୍ତି, ମୁଁ ସିଡ଼ିରେ ଛିଡ଼ା ହୋଇଥିଲି। ଏହି ସମୟରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପ୍ରଥମେ ଜଣେ ସାଂସଦଙ୍କୁ ଠେଲିଦେଲେ। ସେହି ସାଂସଦ ଜଣକ ମୋ’ ଉପରେ ପଡ଼ିଯିବାରୁ ମୁଁ ତଳେ ପଡ଼ି ଯାଇଥିଲି।
ସେପଟେ ଏହି ଘଟଣାରେ ନିଜ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧି। ସେ କହିଛନ୍ତି, ସଂସଦ ଭିତରକୁ ଯିବା ବେଳେ ବିଜେପି ସାଂସଦ ରୋକିଥିଲେ । ସେ ମୋତେ ଧକ୍କା ମାରିବା ସହ ଧମକାଇଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ମଧ୍ୟ ଧକ୍କା ମାରିଥିଲେ। ସେ ଆମକୁ ସଂସଦ ଭିତରେ ପ୍ରବେଶ କରିବାରୁ ରୋକୁଥିଲେ। ଠେଲାପେଲା କଲେ ଆମର କିଛି ହେବନି କହିଛନ୍ତି ରାହୁଲ । ସଂସଦରେ ପ୍ରବେଶ କରିବା ଆମର ଅଧିକାର ଅଛି। କୌଣସି ବିଜେପି ସାଂସଦ ଆମକୁ ଏଥିରୁ ରୋକି ପାରିବେନି ବୋଲି ରାହୁଲ କହିଛନ୍ତି।