ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଘୋଷଣା କରିଥିଲେ। ଏହାପରେ ବିରୋଧୀ ସାଂସଦମାନେ ଏନେଇ ଅନାସ୍ଥା ନୋଟିସ ମଧ୍ୟ ଦେଇସାରିଛନ୍ତି। ତେବେ ଏନେଇ ବିଜେଡି କଣ ଆଭିମୁଖ୍ୟ ନେଉଛି ତାହାରି ଉପରେ ସମସ୍ତଙ୍କ ନଜର ରହିଥିଲା | ହେଲେ ଶେଷରେ ଧନଖଡଙ୍କ ସପକ୍ଷରେ ବାହାରିଛି ବିଜେଡି | ଆଉ ଦଳ ଏହି ଅନାସ୍ଥା କୁ ବିରୋଧ କରିବ ବୋଲି କହିଛି | ଏନେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ଆଣିବାର ୧୪ ଦିନ ପୂର୍ବରୁ ନୋଟିସ ଦେବା କଥା। ବିରୋଧୀ ନୋଟିସ ଆଣିଥିଲେ ମଧ୍ୟ ଚଳିତ ରାଜ୍ୟ ସଭା ଅଧିବେଶନ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍ ଚଳିତ ଅଧିବେଶନ ଭିତରେ ବିରୋଧୀ ଅନାସ୍ଥା ଆଣିପାରିବେ ନାହିଁ। ଏହା ପରବର୍ତ୍ତୀ ଅଧିବେଶନରେ ଆସିବ | ସେ ଆହୁରି କହିଛନ୍ତି, ଅନାସ୍ଥା ପ୍ରସ୍ତାବ ନେଇ କଂଗ୍ରେସ କିମ୍ବା ଅନ୍ୟ ବିରୋଧୀ ଦଳ ମାନେ ଆମ ସହ କୌଣସି ଆଲୋଚନା କରି ନାହାନ୍ତି କି ସମର୍ଥନ ମାଗି ନାହାନ୍ତି | ରାଜ୍ୟସଭା ଅଧ୍ୟକ୍ଷ ଗୃହକୁ ସଠିକ ପରିଚାଳନା କରୁଛନ୍ତି ତେଣୁ ବିଜେଡି ତାଙ୍କ ସହ ରହିଛି | ଦଳ ଏହି ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବୋଲି ସେ କହିଛନ୍ତି | ଏହାସହ ଏବେ ବି ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରଖିଛି ବୋଲି ବିଶି କହିଛନ୍ତି |
ତେବେ ସଂଖ୍ୟା ଦୃଷ୍ଟିରୁ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ କାଟ ଖାଇବା ଏକପ୍ରକାର ସୁନିଶ୍ଚିତ | କିନ୍ତୁ ଏହାକୁ ନେଇ ବିଜେଡି କି ଆଭିମୁଖ୍ୟ ନେଉଛି ତାହାରି ଉପରେ ସମସ୍ତଙ୍କ ନଜର ଥିଲା | କାରଣ ଅନେକ ସମୟରେ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ କେନ୍ଦ୍ର ସରକାରଙ୍କ ବିଲ୍ କୁ ବିଜେଡି ସମର୍ଥନ କରିଆସୁଥିବା ନଜିର ରହିଛି। ହେଲେ ଏବେ ଓଡ଼ିଶାରେ ପ୍ରଥମଥର ଲାଗି ବିଜେଡି ଶାସନ କ୍ଷମତାରୁ ଯିବା ସହ ବିଜେପି ସରକାର ଗଢ଼ିବାରେ ସଫଳ ହୋଇଛି। ବିଜେଡି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଉଛି। ଏଭଳି ସ୍ଥିତିରେ ସଂସଦରେ ବିଜେଡି ର ଆଭିମୁଖ୍ୟ କଣ ରହିବ ତାକୁ ନେଇ ଚର୍ଚ୍ଚା ଚାଲିଥିଲା | ହେଲେ ରାଜ୍ୟରେ ବିରୋଧୀ ଦଳ ଭୂମିକାରେ ଥିବା ବିଜେଡି ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବୋଲି କହିଛି |