ଜେଲ୍ ଯିବାପରେ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ବେଲ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ); ପୁଷ୍ପା-୨ର ସ୍କ୍ରିନିଂ ବେଳେ ହାଇଦ୍ରାବାଦର ଏକ ସିନେମା ହଲ୍‌ରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା | ଆଉ ଏହି ମାମଲାରେ ଜେଲ୍ ଯାଇଛନ୍ତି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ତେବେ ଜେଲ ଯିବାର କିଛି ସମୟ ପରେ ତାଙ୍କୁ ହାଇକୋର୍ଟରୁ ବେଲ ମଧ୍ୟ ମିଳିଯାଇଛି | ତେବେ ଆଜି ସକାଳେ ଅଲ୍ଲୁ ଅର୍ଜୁନଙ୍କୁ ତାଙ୍କ ହାଇଦ୍ରାବାଦ ସ୍ଥିତ ଘରୁ ଗିରଫ କରିଥିଲା ପୁଲିସ। ସେଠାରୁ ତାଙ୍କୁ ଥାନାକୁ ନିଆଯାଇଥିଲା। ପରେ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଯାଞ୍ଚ ପରେ ତାଙ୍କୁ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। ପ୍ରଥମେ ତାଙ୍କ ଜାମିନ ଆବେଦନ ଖାରଜ କରି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ନାମପଲ୍ଲୀ କୋର୍ଟ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଅଲ୍ଲୁଙ୍କୁ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲ୍‌କୁ ପଠାଇ ଦିଆଯାଇଥିଲା।ଅନ୍ୟପକ୍ଷରେ ଅଲ୍ଲୁଙ୍କ ପକ୍ଷରୁ ଏହି ମାମଲାରେ ଜରୁରୀ ଶୁଣାଣି ପାଇଁ ତେଲଙ୍ଗାନା ହାଇକୋର୍ଟରେ ଆବେଦନ କରାଯାଇଥିଲା। ଆଉ ଜେଲ ଯିବାର କିଛି ସମୟ ପରେ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ |

ତେବେ ଗତ ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ପାଇଁ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସିଥିଲେ | ହେଲେ ଏନେଇ ତେଲଙ୍ଗାନା ପୁଲିସକୁ ଅବଗତ କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି। ଯଦି ପୁଲିସ ଜାଣିଥା’ନ୍ତା,ତା’ହେଲେ ଅଲ୍ଲୁ ଅର୍ଜୁନ ଆସିବା ପୂର୍ବରୁ ଅଧିକ ଫୋର୍ସ ମୁତୟନ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥା’ନ୍ତା। ସେହିଭଳି ଦର୍ଶକଙ୍କ ପାଇଁ ପୃଥକ ପୃଥକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରର ବ୍ୟବସ୍ଥା ନଥିଲା। ଯେହେତୁ ବହୁ ସଂଖ୍ୟାରେ ଲୋକ ଥିଏଟରରେ ପହଞ୍ଚିଥିଲେ ଓ ସେହି ତୁଳନାରେ ସୁରକ୍ଷା ବ୍ୟବସ୍ଥା ହୋଇ ନଥିଲା,ତେଣୁ ଦଳା ଚକଟା ହୋଇଥିଲା। ପ୍ରବଳ ଭିଡ଼ ଯୋଗୁ ଦଳଚକଟାରେ ପଡ଼ି ଜଣେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇଯାଇଥିଲେ ଓ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକେ ଡିସେମ୍ବର ୫ ତାରିଖରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମଚାରୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରି ଆଜି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ।

Related Posts