ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆବର୍ଷରେ ବଦଳିବେ ରାଜ୍ୟ ବିଜେପି ମୁଖିଆ! ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଗଣମାଧ୍ୟମକୁ ସୂଚନା ଦେଇ ତୋମର କହିଛନ୍ତି, ଜାନୁଆରୀ ମାସରେ ହେବ ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ।
ସେ କହିଛନ୍ତି, ବିଜେପି ଏକ ଗଣତାନ୍ତ୍ରିକ ଦଳ। ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ। ତେବେ ସାଂଗଠନିକ ନିର୍ବାଚନ ଏବେ ଆରମ୍ଭ ହୋଇଛି। ମଣ୍ଡଳ ନିର୍ବାଚନ ଚାଲିଛି। ଏହାପରେ ଜିଲ୍ଲା ସଭାପତି ନିର୍ବାଚନ ଓ ତା’ପରେ ରାଜ୍ୟ ସଭାପତି ବଛାଯିବ। ଆଗାମୀ ମାସରେ ନୂଆ ରାଜ୍ୟ ସଭାପତି ବଛାଯିବେ ବୋଲି ତୋମାର କହିଛନ୍ତି।
ତେବେ ପ୍ରଭରୀଙ୍କ ଏହି ବୟାନ ପରେ କିଏ ରାଜ୍ୟ ବିଜେପିର ନୂଆ ସଭାପତି ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ସଭାପତି ଦୋୖଡରେ ବର୍ତ୍ତମାନ ଉପସଭାପତି ଥିବା ଗୋଲକ ମହାପାତ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି | ଗୋଲକ ମହାପାତ୍ର ଦଳର ଉପସଭାପତି ଓ ମୁଖପାତ୍ର ଭାବେ ସୁଚାରୁରୂପେ ଦାୟିତ୍ୱ ତୁଲାଇଛନ୍ତି | ଅନ୍ୟପଟେ ବିଜେପିର ଏକ ସୂତ୍ରର କହିବା ଅନୁସାରେ ଔପଚାରିକ ଭାବେ ସଭାପତି ବଛା ପ୍ରକ୍ରିୟା ହେବ, କିନ୍ତୁ ମନମୋହନ ସାମଲଙ୍କୁ ଦଳ ପୁଣି ସଭାପତି ଭାବେ ରିପିଟ କରିବ | କାରଣ ୨୦୨୩ରେ ମନମୋହନଙ୍କୁ ରାଜ୍ୟ ବିଜେପିର ସଭାପତି ଦାୟିତ୍ଵ ମିଳିଥିଲା | ନିର୍ବାଚନ ଠିକ ପୂର୍ବରୁ ସଭାପତି ହୋଇଥିବା ମନମୋହନଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିଥିଲା ଆଉ ପ୍ରଥମ ଥର ଏକାକୀ ରାଜ୍ୟରେ ସରକାର ଗଢ଼ିଛି | ଅନ୍ୟପଟେ ନିଜେ ମନମୋହନ ନିର୍ବାଚନ ହାରିଥିବାରୁ ତାଙ୍କୁ ଦଳ ସଭାପତି କରି ପୁଣି ସଂଗଠନର ଦାୟିତ୍ୱ ଦେବ ବୋଲି କୁହାଯାଉଛି |