ରାଜ୍ୟର ୨୩ ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଜୁଳି ବିଲ
୨୩ ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି
୧୦ ବର୍ଷ ମଧ୍ୟରେ ୧୪ ଟି ଶିଳ୍ପ ସଂସ୍ଥା କୁ ୪୦୯୭ କୋଟି ବକେୟା ବିଲ ଛାଡ଼ କରାଯାଇଛି
ସର୍ବାଧିକ ବେଦାନ୍ତ ଲିମିଟେଡ଼ କୁ ୩୫୯୯ କୋଟି ର ବିକେୟା ବିଜୁଳି ବିଲ ଛାଡ଼ କରାଯାଇଛି
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତ 2015-16 ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ, ରାଜ୍ୟର 14 ଟି ଶିଳ୍ପ ସଂସ୍ଥାଙ୍କୁ ମୋଟ 4097 କୋଟି ଟଙ୍କା ବିଦ୍ୟୁତ ବିଲ ଛାଡ଼ କରିଛନ୍ତି ରାଜ୍ୟ ସରକାର | ସେହିପରି ଏକକାଳୀନ ସମାଧାନ ଯୋଜନା ଅଧୀନରେ ମୋଟ 36 ଟି ଶିଳ୍ପସଂସ୍ଥାକୁ 1324 କୋଟି ଟଙ୍କା ବିଦ୍ୟୁତ ବିଲ ଛାଡ଼ କରିଛନ୍ତି ସରକାର | ଉଭୟକୁ ମିଶାଇଲେ ଶିଳ୍ପ ସଂସ୍ଥାଙ୍କୁ ଏହି ଅବଧି ମଧ୍ୟରେ ପାଖାପାଖି 5420 କୋଟି ଟଙ୍କା ବିଦ୍ୟୁତ ବିଲ ଛାଡ଼ କରିଥିଲେ ତତ୍କାଳୀନ ନବୀନ ସରକାର | ଏନେଇ ଆଜି କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସୂଚନା ଦେଇଛନ୍ତି ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ |
ତଥ୍ୟ ଅନୁସାରେ 2015-16 ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ, ଛାଡ଼ ହୋଇଥିବା ଏହି ମୋଟ 5420 କୋଟି ଟଙ୍କା ମଧ୍ୟରୁ କେବଳ ବେଦାନ୍ତ କମ୍ପାନୀକୁ ସରକାର ଛାଡ଼ କରିଛନ୍ତି 3599 କୋଟି 88 ଲକ୍ଷ ଟଙ୍କାର ବିଦ୍ୟୁତ ବିଲ | ଏହା ବ୍ୟତୀତ ଜିନ୍ଦଲ ଷ୍ଟିଲ୍କୁ ୧୦୩ କୋଟି ଟଙ୍କା, IOCL କୁ 314 କୋଟି ଟଙ୍କା, ଜେକେ ପେପର ମିଲ୍କୁ ୨୬ କୋଟି ଟଙ୍କାର ବକେୟା ବିଲ୍ ଛାଡ଼ କରାଯାଇଛି।
ସେହିପରି ଏକକାଳୀନ ସମାଧାନ ଯୋଜନା ଅଧୀନରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ 550 କୋଟି ଟଙ୍କା, ଇମ୍ଫା ଲିମିଟେଡ଼କୁ 440 କୋଟି ଟଙ୍କା ନାଲକୋକୁ 203 କୋଟି ଟଙ୍କା ବକେୟା ବିଲ୍ ଛାଡ଼ କରିଛନ୍ତି ସରକାର।
ସେହିପରି ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ବକେୟା ବିଜୁଳି ବିଲ୍ ଦେଉ ନାହାନ୍ତି। ଏହି ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି | ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁର ର ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି ବୋଲି ତଥ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ।