‘ନୂତନ ଭାବେ ଖୋଲୁଥିବା ବିର୍ଲା ଟାୟର୍ସରେ ବାଲେଶ୍ଵର ଜିଲ୍ଲାର ୮୦% ଯୁବକ-ଯୁବତୀଙ୍କୁ ନିଯୁକ୍ତି ମିଳୁ, ନଚେତ ବଡ଼ ଆନ୍ଦୋଳନ’: ବିକ୍ରମ ପଣ୍ଡା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନୂତନ ଭାବେ ଖୋଲୁଥିବା ବିର୍ଲା ଟାୟର୍ସରେ ବାଲେଶ୍ଵର ଜିଲ୍ଲାର ୮୦% ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦାବି। ଦାବି ପୁରଣ ନହେଲେ ବଡ଼ ଆନ୍ଦୋଳନର ଚେତାବନୀ ଦେଲେ ଯୁବ ନେତା ବିକ୍ରମ ପଣ୍ଡା । ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପଣ୍ଡା କହିଥିଲେ ଯେ,୯୦ ଦଶକରେ ବାଲେଶ୍ଵର ଜିଲ୍ଲାରେ ଗଢ଼ି ଉଠିଥିବା ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ବିର୍ଲା ଟାୟର୍ସ ନୂତନ ଭାବେ ଖୋଲିବାର ପ୍ରକ୍ରିୟା ଆରମ୍ଭ କରିଛି । ବହୁ ଅନଶନ, ଧାରଣା, ପ୍ରତିବାଦ ତଥା ବାଲେଶ୍ଵରବାସୀଙ୍କ ସଦ୍‌ଇଚ୍ଛା ଯୋଗୁ ଏହା ସମ୍ଭବ ହୋଇ ପାରିଛି । କିନ୍ତୁ ଘର ପଶିଲା ବେଳକୁ ମୁଣ୍ଡରେ ଚାଳ ବାଜିଲା ଭଳି ଝୁଣ୍ଟିବାକୁ ଆରମ୍ଭ କରିଛି ଏ ବୃହତ୍ ଶିଳ୍ପ ଅନୁଷ୍ଠାନ ।

ଏହି କାରଖାନା ଖୋଲୁଖୋଲୁ କିଛି ନିର୍ବାଚିତ ପ୍ରତିନିଧି ନିଜର ରାଜନୈତିକ ଅଭିଳାଷକୁ ଚରିତାର୍ଥ କରିବା ଲାଗି ଏହା ଉପରେ ଲୋଲୁପ ଦୃଷ୍ଟି ପକାଇଥିବାର ଅଭିଯୋଗ ହେଉଛି। ବହୁଦିନ ବନ୍ଦ ପଡ଼ିବା ପରେ କାରାଖାନା ଖୋଳିବାକୁ ସାରା ବାଲେଶ୍ୱରବାସୀ ସ୍ୱାଗତ କରୁଛନ୍ତି, କିନ୍ତୁ ତା’ ସହ ନିଯୁକ୍ତି କ୍ଷେତ୍ରରେ ବାଲେଶ୍ୱରର ଯୁବକ ଯୁବତୀ ଙ୍କୁ ଅଗ୍ରାଧିକାର ଦେବାକୁ ଆମେ ଦାବି କରୁଛୁ ବୋଲି ସେ କହିଥିଲେ ।

ଶ୍ରୀ ପଣ୍ଡା ଆହୁରି କହିଥିଲେ, ଏହି ଜିଲ୍ଲାର ପାଣି ପବନକୁ ନେଇ ଗଢ଼ି ଉଠିଥିବା ଏହି କାରଖାନାରେ ଶବ୍ବତଡ଼ା ୮୦ ଭାଗ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ଆମର ପ୍ରଥମ ଦାବୀ ନଚେତ ବାଲେଶ୍ଵରର ହକ୍ ଲାଗି ଗଣତାନ୍ତ୍ରିକ ଉପାୟରେ ବଡ଼ ଆନ୍ଦୋଳନର ସୂତ୍ରପାତ ହେବ। ଦ୍ଵିତୀୟରେ ବିର୍ଲା ଟାୟର୍ସରେ କାମ କରୁଥିବା ପୁରୁଣା କର୍ମଚାରୀଙ୍କ ଯୁକ୍ତଯୁକ୍ତ ଦାବୀକୁ କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ଗ୍ରହଣ କରନ୍ତୁ । ଦାଦନ ଖଟିବାକୁ ହଜାର ହଜାର ଯୁବକ ଯୁବତୀ ଜିଲ୍ଲା ବାହାରକୁ ଯାଉଥିବା ବେଳେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ନିର୍ବାଚିତ ପ୍ରତିନିଧି ମାନେ ଯେଉଁ ଗୋଲାପୀ ସ୍ବପ୍ନ ଦେଖାଇଥିଲେ ତାହା ଧୀରେଧୀରେ ଧୂସରିତ ହେବାର ଲାଗିଛି, ଯାହା ଅତ୍ୟନ୍ତ କ୍ଷୋଭ ଓ ପରିତାର ବିଷୟ । ବାଲେଶ୍ବରର ଅସ୍ମିତା ଲାଗି ଆଗକୁ ଏକ ବଡ଼ ଲଢ଼େଇ ହେବ ଏଥିରେ ବୁଦ୍ଧିଜୀବୀ, ଯୁବକ, ଛାତ୍ର, ମହିଳା ସମସ୍ତେ ସହଯୋଗ ପାଇଁ ଶ୍ରୀ ପଣ୍ଡା ନିବେଦନ କରିଥିଲେ ।

Related Posts