ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଡିସେମ୍ବର ୨୦ ତାରିଖରେ ହେବ ରାଜ୍ୟସଭା ପାଇଁ ଉପନିର୍ବାଚନ। ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନ ହେବ ଉପନିର୍ବାଚନ। ଏନେଇ ଆଜି କାର୍ଯ୍ୟନିର୍ଘଣ୍ଟ ପ୍ରକାଶ ପାଇଛି।
ବିଜେଡିର ପୂର୍ବତନ ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଗୋଟିଏ ଆସନ ଖାଲିପଡ଼ିଛି। ଏଥିପାଇଁ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
ଘୋଷିତ କାର୍ଯ୍ୟନିର୍ଘଣ୍ଟ ଅନୁସାରେ ଡିସେମ୍ବରରେ ୨୦ ତାରିଖରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ। ଏନେଇ ଡିସେମ୍ବର ୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ୧୦ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି। ୧୧ ତାରିଖ ନାମାଙ୍କନ ଯାଞ୍ଚ ହେବ ଓ ୧୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।
ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ରାଜ୍ୟସଭା ଆସନ ବିଜେପି ଖାତାକୁ ଯିବ। ତେବେ କିଏ ରାଜ୍ୟସଭାକୁ ଯିବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ମମତା ମହାନ୍ତଙ୍କ ପରି ବିଜେପି ସୁଜିତ କୁମାରଙ୍କୁ ରାଜ୍ୟସଭାକୁ ପଠାଇବ ନା ଆଉ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ଉପସ୍ଥିତରେ ସେ ବିଜେପିରେ ଯୋଗ ଦେଇଥିଲେ।