ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସରଗରମ ହେବ ଶୀତ ଅଧିବେଶନ । ପ୍ରସଙ୍ଗ ବାଛି ପ୍ରସ୍ତୁତ ବିରୋଧୀ । କାଉଣ୍ଟର କରିବାକୁ ବିଜେପିର ଷ୍ଟ୍ରାଟେଜି । ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ମୋହନ ସରକାରଙ୍କ ଦ୍ୱିତୀୟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ତୟାର ବିରୋଧୀ । ଗତକାଲି ଶଙ୍ଖଭବନରେ ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ଥିର ହୋଇଛି ରଣନୀତି । ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣା, ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା, ଧାନକିଣାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ନେଇଛି ବିଜେଡି ।
ସେହିପରି କଂଗ୍ରେସ ମଧ୍ୟ ବିଧାୟକ ଦଳ ବୈଠକ ଡାକି ଏକାଧିକ ପ୍ରସଙ୍ଗ ବାଛିଛି । ଆମ୍ବଟାକୁଆ ମୃତ୍ୟୁ, ଧାନକିଣା ଅବ୍ୟବସ୍ଥା, ସୁଭଦ୍ରାରେ ଯୋଗ୍ୟ ହିତାଧିକାରୀ ବାଦ୍, ଆଦାନୀ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ, ସରକାରଙ୍କ ବେପରୁଆ ବାତ୍ୟା ପରିଚାଳନା ଅଭିଯୋଗ ଆଣି ଗୃହରେ ଏସବୁ ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତି କରିଛି ।
ସେପଟେ ବିରୋଧୀଙ୍କ ପ୍ରସଙ୍ଗକୁ କାଉଣ୍ଟର କରିବାକୁ ସଜବାଜ କରିଛି ବିଜେପି । ଗତକାଲି ବିଧାନସଭା ୫୪ ନମ୍ବର ହଲରେ ବସିଥିଲା ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଚୂଡାନ୍ତ ହୋଇଥିଲା ରଣନୀତି । ଗୃହରେ ରାଜ୍ୟ ସରକାରଙ୍କ ୫ ମାସର ଉପଲବ୍ଧି, ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ତାଲିକା ରଖିବାକୁ ସ୍ଥିର କରିଛି ବିଜେପି । ଏହା ସହ ବିଗତ ୨୪ ବର୍ଷ ଧରି ବିଜେଡି ସରକାର ସମୟରେ ହୋଇଥିବା ଦୁର୍ନୀତି ଓ କଳାକାରନାମାର ତାଲିକା ବି ଖୋଲି କାଉଣ୍ଟର କରିବାକୁ ଦଳ ଯୋଜନା କରିଛି ।
ଆଜିଠୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ରହିଛି ୩୦ଟି କାର୍ଯ୍ୟଦିବସ । ଆଜି ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଣିବେ ମୁଖ୍ୟମନ୍ତ୍ରୀ । ପରେ ଏକାଧିକ ବିଲ୍ ମଧ୍ୟ ରହିଛି । ପୂର୍ବ ଅଧିବେଶନ ବେଶ୍ ସରଗରମ ରହିଥିଲା । କିନ୍ତୁ ଶୀତ ଅଧିବେଶନକୁ ସୁରୁଖୁରୁ କରିବା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକି ସହଯୋଗ ଲୋଡ଼ିଥିଲେ ବାଚସ୍ପତି ।