ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କେରଳର ୱାୟନାଡ଼ ଲୋକସଭା ଆସନରୁ ଉପନିର୍ବାଚନ ଜିତିଛନ୍ତି। ଭାଇ ରାହୁଲ ଗାନ୍ଧୀ ରାଏବରେଲି ଲୋକସଭା ଆସନରେ ନିର୍ବାଚନ ଜିତିବା ସହ ୱାୟନାଡ଼ ଆସନ ଛାଡ଼ିବା ପରେ ଉକ୍ତ ଆସନରେ ଉପନିର୍ବାଚନ ହୋଇଥିଲା। ପ୍ରିୟଙ୍କା ତାଙ୍କର ପ୍ରଥମ ନିର୍ବାଚନୀ ବିଜୟରେ ରାହୁଲ ଗାନ୍ଧୀଙ୍କ ବିଜୟ ବ୍ୟବଧାନକୁ ଟପି ଯାଇଛନ୍ତି।
ୱାୟନାଡ଼ରୁ ନିର୍ବାଚନ ଡେବ୍ୟୁ କରିଥିବା ପ୍ରିୟଙ୍କା ୬.୨୨ ଲକ୍ଷରୁ ଅଧିକ ଭୋଟ୍ ପାଇଥିବା ବେଳେ ତାଙ୍କ ବିଜୟ ବ୍ୟବଧାନ ୪.୧ ଲକ୍ଷ ରହିଛି। ବରିଷ୍ଠ ସିପିଆଇ ନେତା ସତ୍ୟନ ମୋକେରି ଦ୍ବିତୀୟ ସ୍ଥାନରେ ଥିବା ବେଳେ ବିଜେପିର ନବ୍ୟା ହରିଦାସ ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରିୟଙ୍କା ମୋଟ୍ ୬,୨୨,୩୩୮ ଭୋଟ୍ ପାଇଛନ୍ତି। ସତ୍ୟନ ମୋକେରିଙ୍କୁ ସେ ୪,୧୦,୯୩୧ ଭୋଟ୍ରେ ପରାଜିତ କରିଛନ୍ତି। ଅନ୍ୟପକ୍ଷେ ବିଜେପିର ନବ୍ୟା ହରିଦାସଙ୍କୁ ୧,୦୯,୯୩୯ ଭୋଟ୍ ମିଳିଛି ଏବଂ ସେ ତୃତୀୟ ସ୍ଥାନରେ ରହିଛନ୍ତି।
ୱାୟନାଡ଼ରୁ ବିଜୟୀ ହେବାପରେ ପ୍ରିୟଙ୍କା ୱାୟନାଡ଼ବାସୀଙ୍କୁ ଧନ୍ୟବାଦ ଜଣାଇଚନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ପ୍ରିୟଙ୍କା କହିଛନ୍ତି, ଲୋକମାନେ ମୋ ଉପରେ ଯେଉଁ ବିଶ୍ବାସ ରଖିଛନ୍ତି ସେଥିରେ ମୁଁ ବହୁତ ଖୁସି। ମୁଁ ନିଶ୍ଚିତ କରୁଛି ଯେ ସମୟକ୍ରମେ ଏହି ବିଜୟକୁ ଲୋକେ ନିଜର ବିଜୟ ବୋଲି ଅନୁଭବ କରିବେ। ସଂସଦରେ ସେ ଲୋକଙ୍କ ସ୍ବର ପାଲଟିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ୨୦୧୯ରେ ପ୍ରଥମ ଥର ପାଇଁ ୱାୟନାଡ଼ରୁ ନିର୍ବାଚନ ଜିତିଥିଲେ। ୨୦୨୪ରେ ରାହୁଲ ରାଏବରେଲି ଏବଂ ୱାୟନାଡ଼ ଆସନରେ ନିର୍ବାଚନ ଲଢ଼ିଥିଲେ।