ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଅଭିଯୋଗ । ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ନେଇ ଅଭିଯୋଗ । ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ନିଜେ ହିମାଂଶୁ । ସୂଚନା ଅନୁସାରେ ଯାଜପୁର ଡିଡିଏମ୍ଙ୍କ ଅଫିସକୁ ମିଟିଂ ପାଇଁ ଯାଉଥିଲେ ହିମାଂଶୁ, ଏହି ସମୟରେ ବୁଢ଼ାପୋଲ ନିକଟରେ ରାସ୍ତାରୋକ ଚାଲିଥିଲା | ହିମାଂଶୁଙ୍କ ଗାଡି ଅଟକି ରହିଥିବା ବେଳେ ହଠାତ କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିବା ହିମାଂଶୁ ଅଭିଯୋଗ କରିଛନ୍ତି |
ପୋଲିସ ଆଗରେ ଏନେଇ ସେ ଅଭିଯୋଗ କରିଛନ୍ତି । ହିମାଂଶୁ କହିଛନ୍ତି, ଡିଡିଏମ୍ଙ୍କ ଅଫିସକୁ ମିଟିଂ ପାଇଁ ଯାଉଥିଲି । ରାସ୍ତାରେ କିଛି ଲୋକ ରାସ୍ତାରୋକ କରିଥିଲେ । ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା । ଏତିକି ବେଳେ କିଛି ଲୋକ ମୋ ଆଡ଼କୁ ମାଡ଼ି ଆସିଥିଲେ । ସେମାନେ ମୋ ଗାଡ଼ିକୁ ରଡ୍, ଠେଙ୍ଗାରେ ପିଟିଥିଲେ । ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ । ମୋତେ ପିଟି, ମୋ ଚେନ୍ ଛିଡ଼ାଇ ନେଇଥିଲେ । ବବି ଭାଇ ଜିନ୍ଦାବାଦ୍ କହି ମୋତେ ଆକ୍ରମଣ କରିଥିଲେ ବୋଲି ହିମାଂଶୁ କହିଛନ୍ତି।
ସେପଟେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ପରିସ୍ଥିତି ଶାନ୍ତ କରିବାକୁ ପହଂଚିଛି | ହିମାଂଶୁ ଆକ୍ରମଣ କରିଥିବା ଯୁବକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିବା ବେଳେ ଅଭିଯୋଗ ନେଇ ବବି ଦାସଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ |