ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବଢ଼ିଲା ଭରତପୁର ଥାନା ମାମଲାର ତଦନ୍ତ କରୁଥିବା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ | ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଚିତ୍ତରଂଜନ ଦାଶ କମିଶନଙ୍କ କାର୍ଯ୍ୟକାଳ ଆଜି ବୃଦ୍ଧି କରାଯାଇଛି। ୨୦୨୫ ଜାନୁଆରି ୩୧ ତାରିଖ ଯାଏ ଏହାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।
ତେବେ ଜଷ୍ଟିସ ଚିତ୍ତରଂଜନ ଦାଶ କମିଶନଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୨୨ ତାରିଖରେ ସରୁଥିଲା। ଏବେ ସରକାର ଏହାକୁ ୨୦୨୫ ଜାନୁଆରି ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି | ଅନ୍ୟପଟେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସଙ୍କ ନେତୃତ୍ବରେ ଗଠିତ କମିଶନ ଭରତପୁର ଥାନା ମାମଲାରେ ୫୦୦ ରୁ ଅଧିକ ଦାଖଲ ହୋଇଥିବା ସତ୍ୟପାଠର ଯାଞ୍ଚ୍ ପରେ ସାକ୍ଷ୍ୟ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ସୂଚନଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ମେଜରଙ୍କ ସହ ତାଙ୍କ ବାନ୍ଧବୀ ରାତି ଗୋଟାଏ ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୁଲିସ ଆକ୍ରମଣ କରିଥିବା ନେଇ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି । ଏହାସହ ଘଟଣାର ତ୍ୱରିତ ତଦନ୍ତ ପାଇଁ ତଦନ୍ତ କମିଶନ ମଧ୍ୟ ଗଠନ କରିଥିଲେ ରାଜ୍ୟ ସରକାର।