ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଥାନାକୁ ଅଭିଯୋଗ ନେଇ ଆସୁଥିବା ସେନା ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ସୌଜନ୍ୟ ରକ୍ଷା କରି ସମ୍ମାନ ପୂର୍ବକ ବ୍ୟବହାର ପ୍ରଦର୍ଶନ କରିବ। ସେନା ଅଧିକାରୀଙ୍କ ସମସ୍ୟା ଓ ଅଭିଯୋଗ ପ୍ରତି ପୁଲିସ ଅଧିକାରୀ ତୁରନ୍ତ ଧ୍ୟାନ ଦେବା ସହିତ ଆବଶ୍ୟକ ସହାୟତା ଯୋଗାଇ ଦେବେ। ଡ୍ୟୁଟିରେ ଥିବା ସେନା ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ପୁଲିସ ଗିରଫ କରିପାରିବ ନାହିଁ। ରାଜ୍ୟ ସରକାରଙ୍କ ତରଫରୁ ଜାରି ଏସ୍ଓପିରେ ଏଭଳି ନିର୍ଦ୍ଦେଶାବଳୀ ଉଲ୍ଲେଖ କରାଯାଇଛି। ଥାନା ଓ ଫାଣ୍ଡି ଭିତରେ ସେନା ଅଧିକାରୀ/କର୍ମଚାରୀଙ୍କୁ ପୁଲିସ ଅଧିକାରୀ କେମିତି ବ୍ୟବହାର ପ୍ରଦର୍ଶନ କରିବେ ସେ ନେଇ ଏସ୍ଓପିରେ ଉଲ୍ଲେଖ କରାଯାଇଥିବା ବେଳେ ତାହାର କପି ହାଇକୋର୍ଟରେ ଦାଖଲ ହୋଇଛି।
ଭରତପୁର ଥାନା ଘଟଣାକୁ ନେଇ ବିଚାରାଧୀନ ଜନସ୍ବାର୍ଥ ମାମଲାର ମଙ୍ଗଳବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ତରଫରୁ ଜାରି ଏସ୍ଓପିର ନକଲ ଦାଖଲ କରିଥିଲେ। ଏହି ଏସ୍ଓପିକୁ ମୁଖ୍ୟମନ୍ତ୍ରୀ ଗତ ୧୧ ତାରିଖରେ ଅନୁମୋଦନ କରିଥିବା ଦର୍ଶାଯାଇଥିଲା। ଏସ୍ଓପିରେ ଉଲ୍ଲେଖ କରାଯାଇଛି ଯେ ଯଦି ପ୍ରତିରକ୍ଷା ବିଭାଗର ଅଧିକାରୀ ବା କର୍ମଚାରୀ ଯଦି ଲିଖିତ ଅଭିଯୋଗ ଦାଖଲ କରନ୍ତି ତେବେ ତୁରନ୍ତ ଏହା ଉପରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। ସମସ୍ୟାର ସମାଧାନ ପାଇଁ ପୁଲିସ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ। ଅଭିଯୋଗ ଦାୟର ପାଇଁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଯଦି ଧର୍ତ୍ତବ୍ୟ ଅପରାଧ(କଗ୍ନିଜେବଲ ଅଫେନ୍ସ)ନେଇ ପ୍ରତିରକ୍ଷା ଅଧିକାରୀ/କର୍ମଚାରୀ ମୌଖିକ ଅଭିଯୋଗ କରନ୍ତି ତେବେ ଲିଖିତ ରିପୋର୍ଟ ପାଇଁ ବାଧ୍ୟ ନ କରି ପୁଲିସ ଅଧିକାରୀ ଏ ସଂପର୍କିତ ସୂଚନାକୁ ଲଖିତ ଆକାରକୁ ନେବେ। ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ପାଇଁ ଏଥିରେ ଅଭିଯୋଗକାରୀଙ୍କ ଦସ୍ତଖତ ନେବେ। ନିଜ ଦାୟିତ୍ବ ସଂପାଦନ ବେଳେ କରିଥିବା କାର୍ଯ୍ୟ ପାଇଁ ସେନାର କୌଣସି ଅଧିକାରୀ ବା କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଗିରଫ କରାଯାଇ ପାରିବ ନାହିଁ। ଏ ନେଇ ବିଏନ୍ଏସ୍ଏସ୍-୨୦୨୩ ଓ ଦି ଆର୍ମି ଆକ୍ଟ-୧୯୫୦ରେ ରହିଥିବା ବ୍ୟବସ୍ଥା ସଂକ୍ରାନ୍ତରେ ଏସ୍ଓପିରେ ଉଲ୍ଲେଖ କରାଯାଇଛି। ସୁରକ୍ଷା ବଳ ସଂକ୍ରାନ୍ତୀୟ ମାମଲାର ତଦନ୍ତ ବେଳେ କଣ ନିୟମ ପାଳନ କରାଯିବ ସେ ନେଇ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ନିୟମାବଳୀ ସଂକ୍ରାନ୍ତରେ ମଧ୍ୟ ଉଲ୍ଲେଖ ରହିଛି। ଆଇନରେ ଥିବା ବ୍ୟବସ୍ଥା ଓ ଗୃହ ମନ୍ତ୍ରଣାଳୟର ନିୟମାବଳୀ ଆଧାରରେ କେତେକ ନିର୍ଦ୍ଦେଶନାମା ପୁଲିସ ଅଧିକାରୀଙ୍କ ପାଇଁ ଜାରି କରାଯାଇଛି।
ସ୍ଥଳସେନା, ବାୟୁସେନା, ନୌସେନାର ଅଧିକାରୀ ବା କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ପୁଲିସ ଅଧିକାରୀ ଗିରଫ କରି ପାରିବେ ନାହିଁ। ଗିରଫ ପାଇଁ ମେଜର ଜେନେରାଲ ବା ତା ଠାରୁ ଊର୍ଦ୍ଧ୍ବ ପାହ୍ୟାର ନିଟକସ୍ଥ ଷ୍ଟେସନ କମାଣ୍ଡର ଅନୁମତି ଦେଇ ପାରିବେ। ଯଦି ଅନୁମତି ନ ମିଳେ ତେବେ ପୁଲିସ ଦ୍ବାରା ଅଟକ ଅଧିକାରୀଙ୍କୁ ମିଲିଟାରି ପୁଲିସକୁ ହସ୍ତାନ୍ତର କରାଯିବ। ଯଦି ଦୁଷ୍କର୍ମ, ହତ୍ୟା ବା ଅପହରଣ ଭଳି ଜଘନ୍ୟ ଅପରାଧରେ ଜଣେ କାର୍ଯ୍ୟରତ ସେନା କର୍ମଚାରୀ ସଂପୃକ୍ତ ଥାଆନ୍ତି ଓ ତାଙ୍କ ଡ୍ୟୁଟି ସହିତ ଏପରି ଅପରାଧର ସଂପର୍କ ନଥାଏ ତେବେ ବିନା ଅନୁମତିରେ ପୁଲିସ ତାଙ୍କୁ ଗିରଫ କରି ପାରିବ। ଏହା ବାଦ୍ ଅନ୍ୟ କିଛି ଅପରାଧ ଥାଏ ତେବେ କର୍ତ୍ତୃପକ୍ଷଙ୍କ ବିନା ପୂର୍ବ ଅନୁମତିରେ ସେନା କର୍ମଚାରୀଙ୍କୁ ଗିରଫ କରିବା ପାଇଁ ପୁଲିସ ପଦକ୍ଷେପ ନେଇ ପାରିବ ନାହିଁ। ଯଦି ଡ୍ୟୁଟି ସହିତ ସଂପୃକ୍ତ ନଥିବା ଅପରାଧ ପାଇଁ ସେନା କର୍ମଚାରୀଙ୍କୁ ପୁଲିସ ଅଧିକାରୀ ଗିରଫ କରନ୍ତି ତେବେ ନିଟକସ୍ଥ ମିଲିଟାରି ଷ୍ଟେସନ ମୁଖ୍ୟାଳୟକୁ ଅବଗତ କରିବାକୁ ପୁଲିସ ବାଧ୍ୟ। ଆପରାଧିକ ଘଟଣାର ସବିଶେଷ ତଥ୍ୟ, ଗିରଫ ତାରିଖ ଓ ଅଟକ ରଖାଯାଇଥିବା ସ୍ଥାନ ନେଇ ପୁଲିସ ଅବଗତ କରିବ। ସେନା କର୍ମଚାରୀଙ୍କ ବିରୋଧରେ ଅଭିଯୋଗକୁ ଶୀଘ୍ର ଅନୁଧ୍ୟାନ କରାଯିବା ସହିତ ଗ୍ରହଣ କରାଯାଇଥିବା ବା ପ୍ରସ୍ତାବିତ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ମିଲିଟାରି କମାଣ୍ଡର୍ଙ୍କୁ ଅବଗତ କରାଯିବ। ଗିରଫ କ୍ଷେତ୍ରରେ ସେନା କର୍ମଚାରୀଙ୍କୁ ରୁକ୍ଷ ବ୍ୟବହାର ପ୍ରଦର୍ଶନ, ଆକ୍ରମଣ, ମାରପିଟ କରାଯିବ ନାହିଁ। ତାଙ୍କୁ ହାତକଡ଼ି ମଧ୍ୟ ପକାଯିବ ନାହିଁ। ଏହି ପ୍ରସଂଗରେ ରହିଥିବା ଗୁରୁତ୍ବପୂର୍ଣ୍ଣ ଆଇନଗତ ଦିଗ ପାଳନ ଉପରେ ମଧ୍ୟ ଏସ୍ଓପିରେ ଉଲ୍ଲେଖ କରାଯାଇଛି। ଯଦି ଏସ୍ଓପି ଉଲ୍ଲଂଘନ ହୁଏ ତେବେ ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଏହି ଏସ୍ଓପିର କପି ଆମିକସ୍କ୍ୟୁରି ଗୌତମ ମିଶ୍ରଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ଶୁଣାଣି ସମୟରେ ଆଜି ପୁଲିସ ମୁଖ୍ୟାଳୟ ଏଡିଜିପି ଦୟାଲ ଗଙ୍ଗୱାର ଉପସ୍ଥିତ ରହି ଥାନାରେ ସିସିଟିଭି କ୍ୟାମେରା ପ୍ରସଂଗରେ ରହିଥିବା ସାନି ସ୍ଥିତି ନେଇ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ। ରାଜ୍ୟର ବିଭିନ୍ନ ଥାନାରେ ଲାଗିଥିବା ସିସିଟିଭି କ୍ୟାମେରା ମରାମତି ଓ ପୁନଃସ୍ଥାପନ କାର୍ଯ୍ୟ ୯୬ ପ୍ରତିଶତ ସଂପୂର୍ଣ୍ଣ ହୋଇଛି। ସବୁର ସିଧାପ୍ରସାରଣ ହେଉଛି। ବାତ୍ୟା ‘ଦାନା’ ପାଇଁ କେତେକ କ୍ୟାମେରା କ୍ଷତିଗ୍ରସ୍ତ ହୋଇଥିଲା। ଅବଶିଷ୍ଟ ୪ ପ୍ରତିଶତ କ୍ୟାମେରା ନଭେମ୍ବର ଶେଷସୁଦ୍ଧା କାର୍ଯ୍ୟକ୍ଷମ ହେବ। ୫୨ଟି ନୂଆ ଥାନାରେ ସିସିଟିଭି କ୍ୟାମେରା ଲଗାଯିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୬୪୫ ପୁଲିସ ଥାନା ମଧ୍ୟରୁ ୮୫ ପ୍ରତିଶତ ରାଜ୍ୟ ପୁଲିସ ମୁଖ୍ୟାଳୟର ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ (ସିଏମଏସ) ସହିତ ଯୋଡ଼ି ହୋଇଛି। ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ ମାଧ୍ୟମରେ ସିଏମ୍ଏସ୍ ସହିତ ୩୬ ପୁଲିସ ଜିଲ୍ଲାକୁ ସଂଯୋଗ କରାଯାଇଛି। ନଭେମ୍ବର ୧୫ସୁଦ୍ଧା ଅବଶିଷ୍ଟ ୨ଟି ଜିଲ୍ଲାକୁ ସଂଯୋଗ କରାଯିବ। ଏଥି ସହିତ ୨୯୫ଟି ପୁଲିସ ଫାଣ୍ଡିରେ ସିସିଟିଭି କ୍ୟାମେରା ବସାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଏଥି ପାଇଁ ଓକାକ୍କୁ ଚିଠି ଲେଖାଯାଇଛି। ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ସବୁ ପୁଲିସ ଫାଣ୍ଡିରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ସଂପୂର୍ଣ୍ଣ ହେବ ବୋଲି ଏଡିଜି ଶୁଣାଣି ସମୟରେ ଦର୍ଶାଇଥିଲେ। ଏହି ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ହାଇକୋର୍ଟ ପ୍ରଶଂସା କରିଛନ୍ତି। ମାମଲାର ନଭେମ୍ବର ୧୯କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୪ ସେପ୍ଟେମ୍ବର ୨୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ। ବିଭିନ୍ନ ପରିସ୍ଥିତିରେ ସେନା ବାହିନୀର କର୍ମଚାରୀଙ୍କ ମର୍ଯ୍ୟାଦାର ସୁରକ୍ଷା ପାଇଁ କ’ଣ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିବେ, ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଥିଲେ। ସେପ୍ଟେମ୍ବର ୧୮ରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ଭାରତ ଏରିଆ ଜେନେରାଲ ଅଫିସର କମାଣ୍ଡିଂ ପି ଏସ୍ ଶେଖାୱତ୍ ସେପ୍ଟେମ୍ବର ୧୫ ଘଟଣାକୁ ନେଇ ଏକ ଚିଠି ଲେଖିଥିଲେ। ଏହି ଚିଠିକୁ ବିଚାରକୁ ନେଇ ହାଇକୋର୍ଟ ନିଜଆଡ଼ୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ମାମଲାରେ ଗୃହ ସଚିବ, ପୁଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି, ପୁଲିସ କମିସନର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।