ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ବନ୍ଦ ହେଲା ଇସ୍କନର ଅଦିନିଆ ରଥଯାତ୍ରା | ଆମେରିକା ହ୍ୟୁଷ୍ଟନ୍ରେ ହେବନି ଇସ୍କନ ରଥଯାତ୍ରା। ଗତକାଲି ଅଦିନିଆ ରଥଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଇସ୍କନକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଚେତାବନୀ ଦେବାପରେ ରଥଯାତ୍ରା ବନ୍ଦ କରିବାକୁ ଘୋଷଣା କରିଛି ଇସ୍କନ | ଇସ୍କନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି ଯେ, ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ବଦଳରେ ହେବ ନିତ୍ୟାଇ ଗୌର ସଂକୀର୍ତ୍ତନ ଯାତ୍ରା ହେବ। ଏନେଇ ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦ ସୂଚନା ଦେଇଛି।
ତେବେ ଗତକାଲି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାର ଆୟୋଜନ ପ୍ରସଙ୍ଗରେ ନିଜର କ୍ଷୋଭ ପ୍ରକାଶ କରିଥିଲେ ଗଜପତି ମହାରାଜ। ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଇସ୍କନ ଅଦିନିଆ ରଥାଯାତ୍ରାର ଆୟୋଜନ କରିଥିଲା । ଯାହା କାଲିଫର୍ଣ୍ଣିଆ ସହରରେ ଅନୁଷ୍ଠିତ ହୋଇଥିଲେ। ପରେ ପରେ ପର୍ଯ୍ୟାୟକ୍ରମେ ବିଶ୍ୱର ବିଭିନ୍ନ ସହରରେ ଅଦିନିଆ ରଥଯାତ୍ରା ଏବଂ ବିଭିନ୍ନ ପର୍ବପର୍ବାଣୀର ଆୟୋଜନ କରିଆସୁଛନ୍ତି। ଯାହାକି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଉଲ୍ଲଂଘନ ହେଉଛି ।ଏହାକୁ ବନ୍ଦ କରିବାକୁ ଆମେ ଇସ୍କନ ପ୍ରଶାସନ ସହିତ ଆଲୋଚନ କରିଥିଲୁ । କିନ୍ତୁ କିଛି ସୁଫଳ ହେଲା ନାହିଁ । ମାର୍ଚ୍ଚରେ ଇସ୍କନ ପକ୍ଷରୁ ଗଭର୍ଣ୍ଣିଂ କାଉନସିଲର ବୈଠକ ଅଛି । ସେଠାରେ ଏହି ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଯଦି ସେମାନେ ମାନିଯିବେ, ଭଲ କଥା। ନ ହେଲେ ଏଥର ଆମେ ଆଇନର ରାସ୍ତା ବାଛିବୁ ବୋଲି କହିଥିଲେ ଗଜପତି।
ଏହି ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଚାରିଆଡୁ ବିରୋଧର ସ୍ୱର ଉଠିବା ପରେ ଶେଷରେ ଇସ୍କନ ଏହାକୁ ବନ୍ଦ କରିବାକୁ ଘୋଷଣା କରିଛି |