ଭୁବନେଶ୍ୱର,୦୧/୧୧(ସତ୍ୟପାଠ ବ୍ୟୁରୋ): ନଭେମ୍ବର ୧ ତାରିଖ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହେଉଛି କଇଁଛ ଋତୁ। ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ଏନ୍ତୁଡ଼ିଶାଳଭାବେ ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରୀକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ ଲାଗିବ କଟକଣା। ନଭେମ୍ବର ୧ ତାରିଖରୁ ମଇ ମାସ ୩୧ ତାରିଖ ଯାଏଁ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷ ତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ସଂପୂର୍ଣ୍ଣ ନିଷେଧାଦେଶ ରହିଛି।
ତେବେ କଇଁଛ ଋତୁ ନିମନ୍ତେ ମତ୍ସ୍ୟବିଭାଗ ପକ୍ଷରୁ ଧାମରା ମୁହାଁଣରୁ ଦେବୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ରକୂଳ ଠାରୁ ୨୦ କିମି ଯାଏଁ ଯନ୍ତ୍ରଚାଳିତ ଟ୍ରଲର, ବୋଟ୍, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛଧରା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଏହି ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସର କ୍ୟାମ୍ପ୍ କରାଯାଇଛି। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧି, ଶାସନପେଟା, ତାଲଙ୍ଗ, ଜଟାଧାର, ଷଣ୍ଢକୁଦ ୧, ୨, ହାୱାଖାନା, ରାମତାରା ଓ ବନ୍ଦର ଆଦି ୧୪ଟି ସ୍ଥାନରେ ଟ୍ରଟଲ୍ ପ୍ରୋଟେକ୍ସନ୍ କ୍ୟାମ୍ପ କରାଯିବ। ଅଫିସର କ୍ୟାମ୍ପ୍ରେ ୫ଜଣ ଲେଖାଏଁ କର୍ମଚାରୀ ଓ ଅନ୍ୟ ୧୪ଟି ଟ୍ରଟ୍ଲ୍ ପ୍ରୋଟେକ୍ସନ କ୍ୟାମ୍ପ୍ରେ ୩ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ ହେବେ।
ସେହିପରି ବାବୁବାଲି ଓ ଶାସନପେଟାରେ ଗୋଟିଏ ସେକ୍ସନ୍ ଲେଖାଏଁ ଏପିଆର୍ ଫୋର୍ସ ମୃତୟନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କୁ ଜଳଦସ୍ୟୁ ଓ ମାଛ ମାଫିଆଙ୍କ କବଳରୁ ରକ୍ଷା କରିବା ଓ ବେଆଇନ୍ ଟ୍ରଲର ଚଳାଚଳ ଉପରେ ଅଙ୍କୁଶ ରଖିବା ପାଇଁ ବନବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍ ପୁଲିସ୍, ମତ୍ସବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ।