ବିଜେଡି ଛାଡିବା ପରେ ଦଳର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ | ଏଥିସହ ବିଜେଡି ଟିକେଟ ବାଣ୍ଟିବାରେ ଆଶିଷ ସିଂ ଓ ଡିଏସ୍ କୁଟ୍ଟେଙ୍କ ଭୂମିକାକୁ ନେଇ ମଧ୍ୟ ବଡ଼ କଥା କହିଛନ୍ତି | ଗତକାଲି ଦଳ ଛାଡ଼ିବା ପରେ ଆଜି ଗଣମାଧ୍ୟମ ସମ୍ମୁଖରେ ବହୁ ବିସ୍ଫୋରକ ବୟାନ ଦେଇଛନ୍ତି ସୁନନ୍ଦା ।
ସେ କହିଛନ୍ତି, ‘ଗତ ୫ ବର୍ଷରେ ଦଳ ପାଇଁ ବହୁତ କାମ କରିଛି। ଦଳର ସ୍ଥିତିକୁ ବି ମଜଭୁତ କରିଛି। ମାତ୍ର ଶେଷରେ ମୋ’ ଟିକେଟ କାଟିଦେଲେ । ୫ ମାସ ହେଲା ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୋତେ ଡାକିନେଲି। ମୋତେ ଅଣଦେଖା କଲେ, ତେଣୁ ବାଧ୍ୟ ହୋଇ ଦଳ ଛାଡ଼ିଲି। ’
‘ବବି ମୋ ଟିକେଟ କାଟିଦେଲେ‘
ସୁନନ୍ଦା କହିଛନ୍ତି, ବିଜେଡିରେ ଅଫିସର ଟିକେଟ ବାଣ୍ଟୁଥିଲେ । ଏଥିସହ ବବି ଦାସଙ୍କ ଉପରେ ବର୍ଷି ଟିକେଟ ଦେବାର ପ୍ରତିଶ୍ରୁତି ଦେଇ ଶେଷ ସମୟରେ କାଟି ଦେଇଥିବା ଅଭିଯୋଗ ଆଣିଛନ୍ତି। ତେଣୁ ବବିଙ୍କ ପ୍ରତି ପ୍ରଭୁ ଜଗନ୍ନାଥ ଯାହା ବିଚାର କରିଛନ୍ତି ସେଥିରେ ମୁଁ ଖୁସି ଅଛି ଓ ତାଙ୍କୁ ଧନ୍ୟବାଦ ଜଣାଇଛି ବୋଲି କହିଛନ୍ତି ସୁନନ୍ଦା ।
‘ଅଫିସର ବାଣ୍ଟୁଥିଲେ ଟିକେଟ‘
ବିଜେଡିରେ ଅଫିସରମାନେ ଟିକେଟ ବାଣ୍ଟୁଥିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଏହାର ଗୁମର ଖୋଲିଛନ୍ତି ସୁନନ୍ଦା। ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କ ନାଁ ନେଇ ଟିକେଟ ପାଇଁ ଏହି ୨ ଅଧିକାରୀଙ୍କୁ ଦେଖା କରିବାକୁ କୁହାଯାଇଥିଲା ବୋଲି କହିଛନ୍ତି। ମୁଁ ମଧ୍ୟ ଟିକେଟ ବଣ୍ଟନର ମାସେ ପୂର୍ବରୁ ସେମାନଙ୍କୁ ଦେଖା କରିଥିବା ବେଳେ ଟିକେଟ ମିଳିବ ବୋଲି ସେମାନେ କହିଥିବା କହିଛନ୍ତି ସୁନନ୍ଦା।
‘ରାତିରେ କହିଲେ ବେଷ୍ଟ ଅଫ୍ ଲକ୍, ସକାଳୁ କାଟିଲେ ଟିକେଟ‘
ଏଥିସହ ତତକାଳୀନ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଉପରେ ସେ ପ୍ରବଳ ବର୍ଷିଛନ୍ତି । ବବି କହୁଥିଲେ, ମୁଁ ହିଁ ଟିକେଟ ଦେବା ଲୋକେ ଓ ମୁଁ ହିଁ ଟିକେଟ କାଟିବା ଲୋକ । ହେଲେ ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବି ନାହିଁ। ତେଣୁ ମୋର ଟିକେଟ ମିଳିବା ନେଇ ତାଙ୍କ ଉପରେ ପୂର୍ଣ୍ଣ ଭରସା ଥିଲା । ହେଲେ ଶେଷ ମୁହୂର୍ତ୍ତରେ ସେ ଟିକେଟ କାଟିଦେଇଥିବା ଅଭିଯୋଗ ଆଣିଛନ୍ତି ସୁନନ୍ଦା। ଏପରିକି ଯେଉଁଦିନ ଟିକେଟ ବଣ୍ଟା ହେଲା, ତା ପୂର୍ବଦିନ ରାତିରେ ମୋତେ ଡାକି ବେଷ୍ଟ ଅଫ୍ ଲକ୍ ବୋଲି ବବି କହିଥିଲେ । ମାତ୍ର ସକାଳେ ଟିକେଟରେ ମୋ’ ନାଁ ନ ଥିଲା ବୋଲି କ୍ଷୋଭର ସହ କହିଛନ୍ତି ସୁନନ୍ଦା ।
‘ଟିକେଟ କଟିବା ପରେ ଡାକିଥିଲେ ପାଣ୍ଡିଆନ‘
ସୁନନ୍ଦା ଆହୁରି କହିଛନ୍ତି, ଟିକେଟ କଟିବା ପରେ ପାଣ୍ଡିଆନ ନବୀନ ନିବାସ ଡାକିଥିବା ବେଳେ ସେଠାକୁ ଯାଇଥିଲି । ସେ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲିନି ସେଥିପାଇଁ ମୋ ଟିକେଟ କଟିଲା ବୋଲି ପାଣ୍ଡିଆନ କହିଥିଲେ । ଏହାପରେ କଣ୍ଟାବାଞ୍ଜିରେ ପ୍ରଚାର କରିବାକୁ ମୋତେ ପଠାଇଥିଲେ। ତେବେ ମନମୁଖୀ ଶାସନ ଓ ମନଇଚ୍ଛା ଟିକେଟ କାଟିବାରୁ ଦଳ ହାରିଲା ବୋଲି କହିଛନ୍ତି ସୁନନ୍ଦା ।
ଏଥିସହ ସେ କହିଛନ୍ତି, ବରୀରେ ମୋ’ ସହ ଲଢ଼ୁଥିବା ବିଜେପିର ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଦଳରେ ମିଶାଇଲେ। ଏହାପରେ ସବୁଥିରେ ତାଙ୍କୁ ଅଗ୍ରାଧିକାର ଦିଅଯାଉଥିଲା। ମୁଁ ବିଧାୟିକା ହୋଇଥିବା ବେଳେ ସବୁ ପ୍ରୋଜେକ୍ଟରେ ତାଙ୍କୁ ଭାଗ ମିଳୁଥିଲା । ସଙ୍ଗଠନ ସମ୍ପାଦକଙ୍କ ଇସାରାରେ ସବୁ ହେଉଥିଲା। ମୋତେ ବହୁ ମାନସିକ ଦୁଶ୍ଚିନ୍ତା ଦେଉଥିବା ବେଳେ ଶେଷରେ ମୋ’ ଟିକେଟ କାଟିଦେଲେ। ତେବେ ଏହାପରେ ପୁଣି କେଉଁ ଦଳକୁ ଯିବେ ବୋଲି ପଚାରିବାରୁ ଆଗାମୀ ଦିନରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ସୁନନ୍ଦା।