ବିଜେଡି ଛାଡିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଯାଜପୁର ବିଜେଡି ଶିବିର ପୁଣି ହଲଚଲ। ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀ ଦଳର ପ୍ରାଥମିକ ସଦସ୍ୟ ନଥିବା କହି ଦଳକୁ ବାଏ ବାଏ କରିବା ପରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡି ଛାଡ଼ିଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି ସୁନନ୍ଦା। ଇସ୍ତଫା ନେଇ ସୁନନ୍ଦା କହିଛନ୍ତି, ସେ ଦଳରେ ଅଲୋଡ଼ା ଥିଲେ। ତାଙ୍କୁ ସବୁବେଳେ ଅଣଦେଖା କରାଯାଉଥିଲା। ଗତ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାଗଲା ନାହିଁ। ଏପରିକି ଗତ ୫ମାସ ହେଲା ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିଲା। ସ୍ବାଧୀନତା ସଂଗ୍ରାମୀଙ୍କ ମାଟି ବରୀ ଅଞ୍ଚଳବାସୀଙ୍କର ସୁଖଦୁଃଖରେ ସାମିଲ ହୋଇ ସେ ପୂର୍ବଭଳି ସେମାନଙ୍କର ସେବା କରିବେ। ସେମାନଙ୍କ ସ୍ବର ହୋଇ ରହିବେ ବୋଲି କହିଛନ୍ତି। ତେବେ ଆଗକୁ କେଉଁ ଦଳକୁ ଯିବେ ସେ ନେଇ ସୁନନ୍ଦା କହିଛନ୍ତି, ଏନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଦୁଇଦିନ ମଧ୍ୟରେ ସେ ତାଙ୍କ ନିଷ୍ପତ୍ତି ସ୍ପଷ୍ଟ କରିବେ।

ତେବେ ୨୦୧୯ରେ ବରୀରୁ ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ନିର୍ବାଚିତ ହୋଇଥିଲେ ସୁନନ୍ଦା। ମାତ୍ର ଗତ ନିର୍ବାଚନରେ ଦଳ ତାଙ୍କୁ ଟିକଟ ଦେଇନଥିଲା। ତାଙ୍କ ସ୍ଥାନରେ ବିଶ୍ୱ ମଲ୍ଲିକଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିଲା। ହେଲେ ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କୁ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ପଦବିରେ ଅବସ୍ଥାପିତ କରିବା ସହିତ ନବୀନ ପଟ୍ଟନାୟକ ପ୍ରତିଦ୍ବନ୍ଦ୍ବିତା କରୁଥିବା କଣ୍ଟାବାଞ୍ଜି ଆସନରେ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଥିଲା।

ସେପଟେ ସୁନନ୍ଦା ଦଳ ଛାଡ଼ିବା ପରେ ଏବେ କୋରେଇର ପୂର୍ବତନ ବିଧାୟକ ଅଶୋକ ବଳଙ୍କୁ ନେଇ ଚର୍ଚ୍ଚା ବଢ଼ୁଛି। ଅଶୋକଙ୍କୁ ମଧ୍ୟ ଗତ ନିର୍ବାଚନରେ ବିଜେଡି ଟିକେଟ ଦେଇନଥିଲା | ଆଉ ସେବେଠାରୁ ଆଉ ଦଳୀୟ କାର୍ଯ୍ୟକ୍ରମରେ ସେ ସାମିଲ ହେଉନାହାନ୍ତି |

Related Posts