‘ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦିଅ’: ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୮/୧୦(ସତ୍ୟପାଠ ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ହେଲିକପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ସଂଧ୍ୟାରେ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହାସହ ସମସ୍ତ ଜିଲ୍ଲାପାଳଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ମିଳିବା ପରେ ତୁରନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି।

ଆଜି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ସମୁଦାୟ ୬୨୧୦ଟି ଆଶ୍ରୟସ୍ଥଳୀରେ ୮ ଲକ୍ଷରୁ ଅଧିକ ଲୋକ ରହିଥିଲେ। କିନ୍ତୁ ଏବେ ପ୍ରାୟ ସମସ୍ତେ ନିଜ ନିଜ ଘରକୁ ଫେରିଗଲେଣି। ଯେଉଁ କେତୋଟି ଗ୍ରାମପଞ୍ଚାୟତରେ ପାଣି ଜମି ରହିଛି, ସେଠାକାର ଲୋକମାନେ ଏବେବି ଆଶ୍ରୟସ୍ଥଳୀରେ ଅଛନ୍ତି। ୪୭୦ଟି ଆଶ୍ରୟସ୍ଥଳୀରେ ୩୦ହଜାର ଲୋକ ଅଛନ୍ତି। ସେହିପରି ବିଦ୍ୟୁତ୍ ଯୋଗାଣ ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୮% ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି। ବାତ୍ୟାରେ ସମୁଦାୟ ୨୨ ଲକ୍ଷ ୮୪ହଜାର ଉପଭୋକ୍ତା ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୨ ଲକ୍ଷ ୩୨ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ସ୍ବାଭାବିକ କରାଯାଇଛି। କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅଳ୍ପ କେତୋଟି ଗ୍ରାମ ପଞ୍ଚାୟତ ଏବେବି ଜଳମଗ୍ନ ଅଛି। ତାହା ସତ୍ତ୍ୱେ ବି ବିଦ୍ୟୁତ୍ ଯୋଗାଣ କାର୍ଯ୍ୟ ଚାଲିଛି। ପାଣି କମିବା ପରେ ବିଦ୍ୟୁତ୍ ଯୋଗାଣ ଶତପ୍ରତିଶତ ସ୍ୱାଭାବିକ ହୋଇଯିବ। ଏଥିପାଇଁ ୭ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି।

ଏହାବାଦ୍ ମ୍ୟୁନିସପାଲଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଣପ୍ରଭାବିତ ଅଞ୍ଚଳରୁ ସଫେଇ କର୍ମଚାରୀ ଆଣି ରାସ୍ତାଘାଟ ପରିଷ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୃଷି କ୍ଷେତ୍ରର କ୍ଷୟକ୍ଷତି ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରାରମ୍ଭିକ ଆକଳନରୁ ଜଣାଯାଇଛି ଯେ କୃଷି କ୍ଷେତ୍ରରେ କେନ୍ଦ୍ରାପଡ଼ା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ୧୨ଟି ବ୍ଲକ୍‌ର ୮୮୦ଟି ଗ୍ରାମ ପଞ୍ଚାୟତ ଓ ୪୧୦୦ଟି ଗ୍ରାମରେ ପ୍ରାୟ ୨ ଲକ୍ଷ ୨୧ ହଜାର ୮୦୦ ଏକର ଚାଷ ଜମିରେ ଫସଲ କ୍ଷତି ହୋଇଛି। ପ୍ରକୃତ ରିପୋର୍ଟ ଆସିବା ପରେ ସହାୟତା ପ୍ରଦାନ କରାଯିବ। 

ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୩୫ଟି ଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ। ସମୁଦାୟ ୪୮୭୧ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା’ ଗୃହକୁ ଅଣାଯାଇଥିଲା। ସେଠାରେ ଏହି ସମୟ ମଧ୍ୟରେ ୨୫୨୯ ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି। ସବୁ ପ୍ରମୁଖ ରାସ୍ତାଗୁଡ଼ିକରୁ ଅବରୋଧ ହଟିସାରିଛି ଏବଂ ବର୍ତ୍ତମାନ ଗମନାଗମନରେ କୌଣସି ଅସୁବିଧା ନାହିଁ। ବନ୍ୟା ଭୟ ବର୍ତ୍ତମାନ ଆଉ ନାହିଁ। ବୁଢ଼ାବଳଙ୍ଗ ନଦୀ ପୂର୍ବରୁ ବିପଦ ସଂକେତ ଉପରେ ଥିଲେ ହେଁ ଏବେ ଜଳସ୍ତର ହ୍ରାସ ପାଇଛି। ଏବେ ଏହା ବିପଦ ସଂକେତ ତଳେ ଅଛି। ବିଭିନ୍ନ ଜାଗାରେ ଲୋକଙ୍କ ଘରେ ବାତ୍ୟା ଦ୍ୱାରା ଗଛ ଭାଙ୍ଗି ପଡ଼ିଥିବାରୁ ଅଗ୍ନିଶମ ବିଭାଗକୁ ପ୍ରାୟ ୬ହଜାର ଫୋନ୍ କଲ୍ ଆସିଥିଲା। ଏହା ଉପରେ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି।

ବାତ୍ୟା ମୁକାବିଲାରେ ଭାରତ ସରକାରଙ୍କ ସହଯୋଗ ଏବଂ ଏନ୍‌ଡିଆର୍‌ଏଫ୍ ଯୋଗୁ ବହୁ ମୂଲ୍ୟବାନ ଜୀବନ ବଞ୍ଚାଯାଇପାରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇଛନ୍ତି। ବାତ୍ୟା ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ବିଶେଷକରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଜିଲ୍ଲାପାଳମାନଙ୍କୁ ମୋର ସ୍ୱତନ୍ତ୍ର ଧନ୍ୟବାଦ ବୋଲି କହିଛନ୍ତି।  ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ୨୧ତାରିଖରୁ ସମୀକ୍ଷା ଆରମ୍ଭ କରାଯାଇଥିଲା। ପ୍ରଥମରୁ ଜିଲ୍ଲାପାଳମାନଙ୍କୁ ଯେଉଁ ସବୁ ନିର୍ଦ୍ଦେଶ ଏବଂ ଦାୟିତ୍ୱ ଦିଆଯାଇଥିଲା ସେମାନେ ଦିନରାତି ଏକ କରି ସେସବୁ କାର୍ଯ୍ୟକୁ ସୂଚାରୁରୂପେ ସମ୍ପନ୍ନ କରିଛନ୍ତି। ସେମାନଙ୍କ ଉଦ୍ୟମ ପାଇଁ ରାଜ୍ୟ ସରକାର ଜିରୋ କାଜୁଆଲଟି ଲକ୍ଷ୍ୟ  ହାସଲ କରିଛନ୍ତି। ଆଜିର ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ସ୍ବତନ୍ତ୍ର ରିଲିଫ କମିସନର ଦେଓ ରଞ୍ଜନ କୁମାର ସିଂହ, ପୁଲିସ ଡିଜି ୱାଇ. ବି ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ।

Related Posts