ଆକାଶରୁ ବାତ୍ୟାଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୧୦(ସତ୍ୟପାଠ ବ୍ୟୁରୋ):  ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଅନ୍ୟ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଇଛନ୍ତି। ସେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି। ଆକାଶ ମାର୍ଗରୁ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମ୍ପୃକ୍ତ ବିଭାଗକୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ବାତ୍ୟା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ପରିଦର୍ଶନ ସମୟରେ ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ଥିଲେ।

 ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ବାତ୍ୟା ‘ଦାନା’ ଯୋଗୁଁ ୧୪ ଜିଲ୍ଲାର ୩୫ ଲକ୍ଷ ୯୫ ହଜାର ୧୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୧୦୮ ବ୍ଲକ, ୧୬୭୧ ଗ୍ରାମ ପଞ୍ଚାୟତ, ୩୧ ସହରର ୪୨୬ ୱାର୍ଡର ଲୋକେ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛନ୍ତି। ଆଜି ସକାଳ୧୦ଟା ସୁଦ୍ଧା ୧୧୭୮ ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଅଛି। ଲୋକେ ଫେରିବା ଆରମ୍ଭ କଲେଣି। ରନ୍ଧା ଖାଦ୍ୟ ମାଧ୍ୟମରେ ୮ ଲକ୍ଷ ୧୦ ହଜାର ୮୯୬ ଜଣ ଲୋକ ଉପକୃତ ହୋଇଛନ୍ତି। ରିଲିଫ ସେଣ୍ଟରରେ ରୋଷେଇ ସାତ ଦିନ ଯାଏଁ ଚାଲିବ।. ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ପଲିଥିନ ଦିଆଯାଇଛି। ଘର କାମ ନ ସରିବା ଯାଏଁ ସେମାନେ ରିଲଫ ସେଣ୍ଟରରେ ଭୋଜନ କରି ପାରିବେ। ଆଜି ସକାଳ ଯାଏଁ ଜିରୋ କାଜୁଆଲଟି।

ବୁଢାବଳଙ୍ଗ ସତର୍କ ସ୍ତରର ୦.୩୫ ମିଟର ଉପରେ ଅଛି। ହେଲେ ବିପଦ ସଂକେତ ନାହିଁ। ଜଳ ନିଷ୍କାସନ ଆହୁରି ଗତିଶୀଳ ହେବ। ସନ୍ଧ୍ୟା ସୁଦ୍ଧା ସତର୍କ ସ୍ତର ତଳକୁ ଆସିବ। ଏସଆରସିଙ୍କ ପାଖକୁ ୧୪ ଜିଲ୍ଲାର ଜିଲାପାଳମାନେ ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। 

Related Posts