କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’?

ଭୁବନେଶ୍ୱର,୨୫/୧୦(ସତ୍ୟପାଠ ବ୍ୟୁରୋ):  କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’? କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଲ୍ୟାଣ୍ଡଫଲ ପରେ ଭୀଷଣ ବାତ୍ୟାରୁ ଦାନା କେବଳ ବାତ୍ୟା ସ୍ଥିତିକୁ ଆସିବାପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା।

ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତଃ ୫ରୁ୬ ଘଣ୍ଟା ଲାଗିଥାଏ। ହେଲେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ସାଢେ ୮ ଘଣ୍ଟା ଚାଲିଥିଲା । ଗତ କାଲି ରାତି ୧୨ଟାରେ ଭିତରକନିକାର ହାବେଳିଖଟି ନେଚରକ୍ୟାମ୍ପ ନିକଟରେ ଏହାର ଲ୍ୟାଣ୍ଡଫଲ୍‌ ଆରମ୍ଭ ହୋଇଥିବା ବେଳେ ଆଜି ସକାଳ ସାଢେ ୮ଟାରେ ସରିଥିଲା ଏହି ପ୍ରକ୍ରିୟା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ପାଇଁ ବିଳମ୍ବ ହେଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ଉପକୂଳ ମୁହାଁ ହେଉଥିବା ବେଳେ ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା।  ଏହାର ଅର୍ଥ ବାତ୍ୟାର ଦୁଇ ପଟେ ଉଭୟ ପୂର୍ବ ଓ ପଶ୍ଚିମ ଦିଗରେ ଦୁଇଟି ଗୁରୁଚାପ ବଳୟ ସୃଷ୍ଟି ହୋଇଥିଲା। ତାହା ଦୁଇ ପଟୁ ବାତ୍ୟା ‘ଦାନା’କୁ ଚାପିଦେଲା। ଏଥିସହ ଗୁରୁଚାପ ବଳୟରୁ ନିର୍ଗତ ହେଉଥିବା ଶୁଷ୍କ ବାୟୁ ‘ଦାନା’ ମଧ୍ୟରେ ପ୍ରବେଶ କଲା। ଏଥିପାଇଁ ବାତ୍ୟା ‘ଦାନା’ ଦୁର୍ବଳ ହୋଇପଡ଼ିବା ସହ ଏହାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା ବୋଲି ସେ କହିଛନ୍ତି ।

ତେବେ ସଦ୍ୟ ରିପୋର୍ଟ ଅନୁଯାୟୀ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ୧୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ କେଉଁ ସ୍ଥାନରେ କାଁଭାଁ ବର୍ଷା ହୋଇଥିବା ଜଣାଯାଇଛି। ମୁଖ୍ୟତଃ ବାତ୍ୟାଟି ଦୁର୍ବଳ ହୋଇପଡ଼ିବାରୁ ଏହାର କେନ୍ଦ୍ରସ୍ଥଳ ଆଖପାଖ ଅଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନରେ ବର୍ଷା ହୋଇ ନ ଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ।

Related Posts