ବାତ୍ୟା ‘ଦାନା’ ପାଇଁ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ; ୩୦ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ୧୧ ବରିଷ୍ଠ ଅଫିସର

ଭୁବନେଶ୍ୱର,୨୨/୧୦(ସତ୍ୟପାଠ ବ୍ୟୁରୋ):  ଭୟଙ୍କର ରୂପଧାରଣ କରି ସ୍ଥଳଭାଗ ଆଡ଼େ ମୁହାଁଇଥିବା ସାମୁଦ୍ରିକ ଝଡ଼ ‘ଦାନା’ର ମୁକାବିଲା ପାଇଁ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ନେଇଛି। ନିଜର ବିଭାଗୀୟ ୧୧ଜଣ ବରିଷ୍ଠ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେବା ସହ ସବୁ ମହାନଗର ନିଗମ ଓ ପୌରାଂଚଳ ନିମନ୍ତେ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର (ଏସଓପି) ଜାରି କରାଯାଇଛି ।

ବିଭାଗର ଏହି ବରିଷ୍ଠ ଅଫିସରମାନେ ଆଜିଠୁ ସେମାନଙ୍କୁ ଆବଂଟିତ ଜିଲ୍ଲାରେ ଥିବା ସମସ୍ତ ପୌରାଂଚଳରେ ବାତ୍ୟା ମୁକାବିଲାର ପ୍ରସ୍ତୁତି ସହ ଅନ୍ୟାନ୍ୟ କାର୍ଯ୍ୟ ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । 

ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକଙ୍କୁ ଅନୁଗୁଳ,ଢେଙ୍କାନାଳ ଓ କଟକ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି । ଅତିରିକ୍ତ ସଚିବ ଶୁଭେନ୍ଦୁ କାନୁନଗୋଙ୍କୁ ବୌଦ୍ଧ, ଦେବଗଡ଼ ଓ କନ୍ଧମାଳ, ସ୍ୱତନ୍ତ୍ର ସଚିବ ଦେବାଶୀଷ ସିଂଙ୍କୁ ଗଞ୍ଜାମ ଓ ଗଜପତି, ସ୍ୱତନ୍ତ୍ର ସଚିବ ଗଙ୍ଗାଧର ନାୟକଙ୍କୁ ମୟୂରଭଞ୍ଜ ଓ ବାଲେଶ୍ୱର, ଅତିରିକ୍ତ ସଚିବ ସୁଶାନ୍ତ କୁମାର ମିଶ୍ରଙ୍କୁ କଳାହାଣ୍ଡି, ନୂଆପଡ଼ା ଓ ବରଗଡ଼, ଅତିରିକ୍ତ ସଚିବ ବିନୟ କୁମାର ଦାଶଙ୍କୁ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼, ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁଙ୍କୁ ଭଦ୍ରକ ଓ ଯାଜପୁର, ଅତିରିକ୍ତ ସଚିବ ସୌରିନ୍ଦ୍ର କୁମାର ରାଉତରାୟଙ୍କୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁଙ୍କୁ ବଲାଙ୍ଗୀର, ସୋନପୁର ଓ ସମ୍ବଲପୁର, ଚିଫ ଇଞ୍ଜିନିୟର ତଥା ଅତିରିକ୍ତ ସଚିବ ଇଞ୍ଜିନିୟର ଅରବିନ୍ଦ ଜେନାଙ୍କୁ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଏବଂ ଯୁଗ୍ମ ସଚିବ ସରୋଜ କୁମାର ଦାଶଙ୍କୁ କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ଆଂବଟିତ ହୋଇଛି ।

ଯଦିଓ ବାତ୍ୟା ରାଜ୍ୟର ସର୍ବାଧିକ ୧୪ଟି ଜିଲ୍ଲାରେ କ୍ଷୟକ୍ଷତି କରିପାରେ ବୋଲି ଆଶଙ୍କା କରାଯାଉଛି ତଥାପି ନଗର ଉନ୍ନୟନ ବିଭାଗ ନିଜର ୧୧ଜଣ ଅଫିସରଙ୍କୁ ୩୦ଟି ଜିଲ୍ଲା(ସମସ୍ତ ମହାନଗର ନିଗମ, ପୌରା ସଂସ୍ଥା ଓ ଏନଏସି)ରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସହ ବାତ୍ୟା ପରବର୍ତ୍ତୀ ରିଲିଫ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ତଦାରଖ କରିବେ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ଦ୍ୱାରା ସବୁ ମହାନଗର ନିଗମର କମିଶନର ଓ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଫିସରଙ୍କୁ ଦିଆଯାଇଥିବା ଏସଓପିରେ ବାତ୍ୟା ପୂର୍ବରୁ ପ୍ରସ୍ତୁତି, ବାତ୍ୟା ସମୟରେ ଗତିବିଧି ଓ ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ଆଦି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି ।

ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ, ଶୁଖିଲା ଛତୁଆ,ବିସ୍କୁଟ ଓ ଅନ୍ୟାନ୍ୟ ଖାଦ୍ୟ ସହ ଅସ୍ଥାୟୀ ବାସସ୍ଥଳୀର ବ୍ୟବସ୍ଥା ସହ ବୃଦ୍ଧ, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ସମେତ ସ୍ତନ୍ୟପାନ କରୁଥିବା ଶିଶୁ ଆଦିଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ବିଭାଗ ଏସଓପିରେ ଉଲ୍ଲେଖ ରହିଛି । ବାତ୍ୟା ସମୟରେ ମହିଳା ହୋମଗାର୍ଡ କିମ୍ବା ସୁରକ୍ଷା କର୍ମଚାରୀଙ୍କୁ ଆଶ୍ରୟସ୍ଥଳୀରେ ନିୟୋଜିତ କରିବା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଆଶ୍ରୟସ୍ଥଳୀରେ ମୁତୟନ ସହ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ରାସ୍ତାଘାଟ, ଡ୍ରେନ୍ ଆଦିକୁ ପରିଷ୍କାର କରି ଯାତାୟତ ସ୍ୱାଭାବିକ ଏବଂ ପାନୀୟ ଜଳଯୋଗାଣ ଜାରି ରଖିବାକୁ କୁହାଯାଇଛି ।

Related Posts