ନବୀନଙ୍କୁ ଟେକିବାକୁ ଯାଇ ନିଜ ବାପାଙ୍କୁ ତଳେ ପକାଇଦେଲେ ବବି

ଭୁବନେଶ୍ୱର,୨୧/୧୦(ସତ୍ୟପାଠ ବ୍ୟୁରୋ):  ୨୦୨୪ ନିର୍ବାଚନ ହାରିବା ପରେ ବିଜୁ ଜନତା ଦଳରେ ଯଦି କିଏ ସବୁଠାରୁ ଅଧିକ ଚିନ୍ତାରେ ଅଛି ତାହେଲେ ସେ ନବୀନ ପଟ୍ଟନାୟକ ନୁହଁ ବରଂ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । ନିର୍ବାଚନ ପୂର୍ବରୁ ଦଳ ଭତରେ ବବିଙ୍କର ଯେଉଁ ପତିଆରା ଥିଲା ଆଉ ସେ ପତିଆରା ପ୍ରକାଶ୍ୟରେ ନାହିଁ । ସାଙ୍ଗଠନିକ ସମ୍ପାଦକ ଭାବରେ ବବି ସାରା ଓଡ଼ିଶାରେ ବିଜେଡିର ଟପ ନେତା ଭାବେ ପରିଗଣିତ ହେଉଥିଲେ । ରାତି ପହିଲେ ବବିଙ୍କ ବାସଭବନ ସାମ୍ନାରେ ଧାଡି ଲାଗୁଥିଲା ଗଣ୍ଡା ଗଣ୍ଡା ଗାଡି । ହେଲେ ନିର୍ବାଚନ ପରେ ସବୁ ଓଲଟ ପାଲଟ ହୋଇଗଲା । ଏବେ ବବିଙ୍କର ଗୋଟିଏ ଚିନ୍ତା, ପୁରୁଣା ପତିଆରା କିଭଳି ଫେରି ପାଇବେ । ବବି ଏବେ ଆଉ ରାଜ୍ୟ ନେତା ହୋଇ ନାହାନ୍ତି । ତାଙ୍କ ମାଙ୍କର କୋରେଇରେ ପରାଜୟ ପରେ ବବିଙ୍କର ଏବେ ଗୋଟିଏ ଚିନ୍ତା, ଯାଜପୁରରେ କିଭଳି ନିଜ ଦବଦବାକୁ ବଜାୟ ରଖିବେ । କାରଣ ପୁରା ଯାଜପୁର ଜିଲ୍ଲାରେ ମଧ୍ୟ ବବିଙ୍କର ଆଉ ଦବଦବା ନାହିଁ । କାରଣ ଯାଜପୁର ରୋଡ଼, କୋରେଇ ଓ ସୁକିନ୍ଦା ଅଂଚଳ ଡାନି ଘଡେଇଙ୍କ କବଜାରେ । 

ସେପଟେ ବିଂଝାରପୁର, ବରୀ ଅଂଚଳରେ ପ୍ରମିଳା ମଲ୍ଲିକ ନିଜ ଦବଦବା ରଖିଛନ୍ତି ।  ବବି ଏବେ ଯାଜପୁର ସଦର ନିର୍ବାଚନ ମଣ୍ଡଳୀ ଭିତରେ ଏକପ୍ରକାର ସୀମିତ ହୋଇଯାଇଛନ୍ତି । ଏ ପରିସ୍ଥିତିରେ ବବି ରଣନୀତି କରିଛନ୍ତି, ସେ ଆଉ ମୁହଁ ଚୁପ କରି ବସିବେ ନାହିଁ । ସପ୍ତାହକୁ ସପ୍ତାହ କିଛି ନା କିଛି ଗୋଳା ପକାଇବେ । ଆଉ ବବିଙ୍କର ଯେଉଁ ସଦ୍ୟତମ ଗୋଳା କୁ ନେଇ ଏବେ ଚର୍ଚ୍ଚା ଛାଲିଛି ତାହା ହେଲା ଏକ ସଭାରେ, ନିଜକୁ ଯାଜପୁରର ଏକମାତ୍ର ଯୋଗ୍ୟ ଦାୟାଦ ବୋଲି ପ୍ରମାଣିତ କରିବାକୁ ଯାଇ ବବି ଏଭଳି ଗୁରୁ ଚଣ୍ଡାଳ ଦୋଷ ଟିଏ କରିଦେଲେ ତାକୁ ନେଇ କେବଳ ଯାଜପୁର ଜନସାଧାରଣ ନୁହଁ  ତାଙ୍କ ନିଜ କର୍ମୀଙ୍କର ବି ମନ ଖରାପ । ଭାଷଣରେ ବବି କହିଲେ, ସ୍ୱାଧୀନତା ପରଠାରୁ ଯାଜପୁରକୁ ତାର ପ୍ରାପ୍ୟ ମିଳିନାହିଁ । ନେତା ପରେ ନେତା ଯାଇଛନ୍ତି ସରାକର ପରେ ସରକାର ବଦଳିଛି କିନ୍ତୁ ଯାଜପୁର କୁ ନ୍ୟାୟ ମିଳିନାହିଁ । ଏତିକି ପର୍ଯ୍ୟନ୍ତ ଠିକ ଥିଲା । ହେଲେ ଏହାପରେ ଦୁଇ ପାଦ ଆଗକୁ ଯାଇ ବବି ଯାହା କହିଲେ ତାହା ଏବେ ତାଙ୍କ ପାଇଁ ବୁମେରାଂ ହୋଇଛି । ବବି କହିଲେ କେବଳ ନବୀନ ପଟ୍ଟନାୟକ ହିଁ ଯାଜପୁର ପାଇଁ ସବୁ କରିଛନ୍ତି ।

ବବିଙ୍କର ଏକଥା ବିଜେଡିର ବହୁ ନେତା ଓ କର୍ମୀଙ୍କୁ ବାଧି ଯାଇଛି, ସେମାନଙ୍କର କହିବା କଥା ବବି ଏଭଳି କଥା କହିବା ବେଳେ ନିଜ ବାପାଙ୍କୁ କିଭଳି ଭୁଲିଗଲେ ? ବବିଙ୍କର ଏ ବୟାନ ପ୍ରମାଣ କରୁଛି ତାଙ୍କ ବାପା ଅଶୋକ ଦାସ ମଧ୍ୟ ଯାଜପୁର ପାଇଁ କିଛି କରିନାହାନ୍ତି । ସେପଟେ ବାପାଙ୍କ ନାଁରେ ରାଜନୀତି କରୁଥିବା ଯାଜପୁର ର ଆଉ କିଛି ନେତା ମଧ୍ୟ ବବିଙ୍କ ବୟାନକୁ ନେଇ ଖପ୍ପା । ଡାନି ଘଡେଇଙ୍କ କହିବା କଥା ତାଙ୍କ ବାପା ପ୍ରଫୁଲ୍ଲ ଘଡେଇ ଯାଜପୁରକୁ ଦଶନ୍ଧି ଦଶନ୍ଧି ଧରି ପ୍ରତିନିଧିତ୍ବ କରିଛନ୍ତି ଆଉ ବହୁ କିଛି ବିକାଶ କରିଛନ୍ତି । ଖାଲି ନବୀନଙ୍କୁ ଶ୍ରେୟ ଦେବା ଅର୍ଥ ପ୍ରଫୁଲ୍ଲଙ୍କ ଅପମାନ । ସେପଟେ ବାପାଙ୍କ ନାଁରେ ରାଜନୀତି କରୁଥିବା କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟଙ୍କୁ ମଧ୍ୟ ବବିଙ୍କ କଥା ବାଧି ଯାଇଛି । କାରଣ ଜିତୁଙ୍କ କହିବା କଥା ଯାଜପୁର ପାଇଁ କଳ୍ପତରୁ ଦାସଙ୍କର ବହୁ ଅବଦାନ ରହିଛି । ହେଲେ ବବିଙ୍କ ଡାଇଲଗ କଳ୍ପତରୁଙ୍କୁ ଅପମାନିତ କରିଛି । ହେଲେ ସବୁଠାରୁ ବଡ଼ କଥା ହେଲା ବବିଙ୍କ ବାପା ଅଶୋକ ଦାସ ଓ ବିଜୁ ପଟ୍ଟନାୟକଙ୍କ ମଧ୍ୟରେ ଅତି ଘନିଷ୍ଠ ସମ୍ପର୍କ ଥିଲା । ଏମାନେ ବିରୋଧୀ ଦଳରେ ଥିବା ସମୟରେ ମଧ୍ୟ ଯାଜପୁର ପାଇଁ ଅନେକ କିଛି କରିଛନ୍ତି, ହେଲେ ବବି କେବଳ କୁସୁମା ପୋଖରୀକୁ ଦେଖାଇ ନବୀନଙ୍କୁ ଯେଉଁ ସବୁ ଶ୍ରେୟ ଅଜାଡି ଦେଲେ ତାହାକୁ ଅନେକ ଲୋକ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଯାଜପୁରରେ ଏବେ ଚର୍ଚ୍ଚା ଯେ, ରାଜନୀତି ପାଇଁ ବବି ଦାସ ବାପାଙ୍କର ହେଲେ ନି ନବୀନଙ୍କର ହେଲେ ।

Related Posts