ଭୁବନେଶ୍ୱର,୪/୧୦(ସତ୍ୟପାଠ ବ୍ୟୁରୋ): ସହରାଞ୍ଚଳ ବାସିନ୍ଦାଙ୍କୁ ଦେବାକୁ ପଡ଼ିବ ଟଏଲେଟ୍ ଟ୍ୟାକ୍ସ ଅର୍ଥାତ୍ ଶୌଚାଳୟ କର। ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସରକାର ଲାଗୁ କରିଛନ୍ତି ଏକ ନୂତନ ଶୁଳ୍କ । ଯେଉଁଥିରେ ଘରେ ଥିବା ଶୌଚାଳୟ ସିଟ୍ ସଂଖ୍ୟା ଉପରେ ଆଧାର କରି ଟିକସ ସଂଗ୍ରହ କରାଯିବ।
ନିକଟରେ ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ ସହରାଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରତ୍ୟେକ ଶୌଚାଳୟ ସିଟ୍ ପାଇଁ ୨୫ ଟଙ୍କା ଶୁଳ୍କ ଦେବାକୁ ପଡିବ। ଏହି ଫିସ୍ ସ୍ୱେରେଜ୍ ବିଲ୍ ସହିତ ଯୋଡାଯିବ। ଏହା ଜଳ ଶକ୍ତି ବିଭାଗର ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ।
ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସ୍ୱେରେଜ୍ ବିଲ୍ ଜଳ ବିଲରେ ୩୦ ପ୍ରତିଶତ ହେବ। ଯେଉଁମାନଙ୍କର କେବଳ ସ୍ୱେରେଜ୍ ସଂଯୋଗ ଅଛି ଏବଂ ନିଜ ଉତ୍ସରୁ ଜଳ ବ୍ୟବହାର କରୁଛନ୍ତି ସେମାନଙ୍କୁ ମଧ୍ୟ ଟଏଲେଟ୍ ସିଟ୍ ପାଇଁ ମାସିକ ୨୫ ଟଙ୍କା ଦେବାକୁ ପଡିବ । ଏହି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାପୂର୍ବରୁ ପୂର୍ବ ବିଜେପି ସରକାର ସମୟରେ ହିମାଚଳ ପ୍ରଦେଶରେ ଜଳ ଶୁଳ୍କ ଆଦାୟ କରାଯାଉ ନ ଥିଲା। କିନ୍ତୁ ବର୍ତ୍ତମାନର କଂଗ୍ରେସ ସରକାର ଅକ୍ଟୋବରରୁ ଆରମ୍ଭ ହୋଇଥିବା ପ୍ରତ୍ୟେକ ଜଳ ସଂଯୋଗ ଉପରେ ମାସିକ ୧୦୦ ଟଙ୍କା ବିଲ୍ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୂତନ ସରକାରୀ ଆଦେଶ ବିଶେଷ ଭାବରେ ରାଜ୍ୟର ସହରାଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଭାବିତ କରିବ। କାରଣ ଏହି ଅଞ୍ଚଳର ଲୋକମାନେ ନିଜ ଘରେ ଏକାଧିକ ଶୌଚାଳୟ ନିର୍ମାଣ କରିଥାନ୍ତି। ଯାହା ଉପରେ ବର୍ତ୍ତମାନ ଫି ଆଦାୟ କରାଯିବ।
ରାଜ୍ୟରେ ସମୁଦାୟ ୫ ଟି ନଗରନିଗମ, ୨୯ ଟି ନଗରପାଳିକା ଏବଂ ୧୭ଟି ନଗର ପଞ୍ଚାୟତ ଅଛି। ଯେଉଁଠାରେ ପ୍ରାୟ ୧୦ ଲକ୍ଷ ଲୋକ ବାସ କରନ୍ତି। ତେଣୁ, ଏହି ନୂତନ ଆଦେଶ ଦ୍ୱାରା ଏକ ବୃହତ ଜନସଂଖ୍ୟା ପ୍ରଭାବିତ ହେବାର ସମ୍ଭାବନା ଅଛି ବୋଲି ରାଜନୈତିକସ୍ତରରେ ଚର୍ଚ୍ଚା ହେଉଛି। ତେବେ ଏନେଇ ସହରାଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।