ତେଜିଲା ଭୁବନେଶ୍ୱର ବିଜେଡି କଳି: ବାଇଁଆ, ଲିଟୁଙ୍କୁ ସୋ-କଜ୍ ନୋଟିସ୍

ଭୁବନେଶ୍ୱର,୩୦/୯(ସତ୍ୟପାଠ ବ୍ୟୁରୋ): ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଳେ ଭୁବନେଶ୍ୱରରେ ବିଜେଡିକୁ ମଜବୁତ୍ କରିବା ଲକ୍ଷ୍ୟରେ ସେମାନେ କାମ କରି ଆସୁଛନ୍ତି ଏବଂ ଆଗକୁ କରିବେ । ଏଥିରେ କେହି ବାଧକ ସାଜିଲେ ବରଦାସ୍ତ କରାଯିବ ନାହିଁ । ଏଠି ବିଜେଡି କାହାରି ଜାଗିରି ନୁହେଁ ବୋଲି ସେମାନେ ଚେତାବନୀ ଦେଇ ସଭାପତିଙ୍କୁ ସବୁକଥା ଜଣାଇବେ ବୋଲି କହିଛନ୍ତି ।

ଭୁବନେଶ୍ୱର ବିଜେଡିରେ ବୁନୁ-ଅଶୋକ ବନାମ ବାଇଁଆ-ଲିଟୁ କଳି ବହୁ ପୁରୁଣା । ଭୁବନେଶ୍ୱର(ମଧ୍ୟ)ରୁ ବାଇଁଆ ଜେନା ବିଧାୟକ ଆଶାୟୀ ଥିବା ବେଳେ ଭୁବନେଶ୍ୱର(ଏକାମ୍ର)ରୁ ଲିଟୁ ମହାସୂପକାର ବିଧାୟକ ଆଶାୟୀ ଥିଲେ । ମାତ୍ର କ୍ରମାଗତ ଭାବେ ଉଭୟଙ୍କୁ ନିରାଶ ହେବାକୁ ପଡ଼ିଛି । ଏହି ଦୁଇ ଦକ୍ଷ ଯୁବ ସଂଗଠକଙ୍କୁ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ଭାବେ ସନ୍ତୁଷ୍ଟ କରାଯାଇଛି । ତେବେ ଗତ ନିର୍ବାଚନରେ ସେମାନଙ୍କୁ ଟିକେଟ୍ ନ ମିଳିବା ପରଠାରୁ ଗଣମାଧ୍ୟମରେ ନିଜର ଅସନ୍ତୋଷ ଜାହିର କରି ଆସୁଛନ୍ତି । ବୁନୁ ଏବଂ ଅଶୋକଙ୍କୁ ସେମାନେ ଖୋଲାଖୋଲି ଚାଲେଂଜ କରୁଛନ୍ତି ।

ଅନ୍ୟପକ୍ଷରେ ବାଇଁଆ ଓ ଲିଟୁଙ୍କୁ ମୁକାବିଲା କରିବା ପାଇଁ ବୁନୁ ଓ ଅଶୋକ ବିଏମସି କର୍ପୋରେଟରଙ୍କୁ ହାତ କରିଛନ୍ତି । ସେମାନଙ୍କ ସମର୍ଥନରେ ଅଧିକ କର୍ପୋରେଟର ଥିବାରୁ ଦଳୀୟ ନେତୃତ୍ୱ ଉପରେ ଚାପ ପକାଇବା ସେମାନଙ୍କ ପାଇଁ ସୁବିଧା ହୋଇଛି ।

ଭରତପୁର ଘଟଣାକୁ ନେଇ ୨୪ ତାରିଖ ବିଜେଡିର ପ୍ରସ୍ତାବିତ ଭୁବନେଶ୍ୱର ବନ୍ଦ ପାଳନ ପାଇଁ ଶଙ୍ଖ ଭବନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଗୋଷ୍ଠୀ ବିବାଦ ତୀବ୍ର ରୂପ ନେଇଥିଲା । ସେହି ବୈଠକରେ ଯୋଗଦେବାକୁ ଯାଇଥିବା ବାଇଁଆ ଓ ଲିଟୁଙ୍କୁ ବୁନୁ ଓ ଅଶୋକଙ୍କ ସମତେ ଭୁବନେଶ୍ୱର(ମଧ୍ୟ) ଓ ଭୁବନେଶ୍ୱର(ଏକାମ୍ର) କର୍ପୋରେଟରମାନେ ବିରୋଧ କରିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ବାଇଁଆ ଓ ଲିଟୁ ସେହି ବୈଠକରୁ ବାହାରିଯିବା ପରେ ଯାଇ ଅବସ୍ଥା ଶାନ୍ତ ପଡ଼ିଥିଲା ।

ତେବେ କଥା ସେତିକିରେ ଅଟକିଗଲାନି । ଶଙ୍ଖ ଭବନ ବୈଠକରେ ଉପସ୍ଥିତ ଥିବା ରାଜେଶ ପାତ୍ର ବିଜେପିର ଜଣେ ସଦସ୍ୟ ବୋଲି ବାଇଁଆ ଓ ଲିଟୁ ଅଭିଯୋଗ ଆଣି ଗଣମାଧ୍ୟମରେ ବୟାନ ଦେବା ପରେ ବିବାଦ ଆହୁରି ଜେତିଥିଲା । ଅଶୋକ ପଣ୍ଡାଙ୍କ ସମର୍ଥକ ତଥା ଏକାମ୍ର ନିର୍ବାଚନମଣ୍ଡଳୀର ଯୁବ ବିଜେଡି ସଭାପତି ରାଜେଶ ପାତ୍ର ବାଇଁଆ ଓ ଲିଟୁଙ୍କ ବିରୋଧରେ ବିଜେପି ସଦସ୍ୟତା ପ୍ରମାଣପତ୍ରର ଜାଲିଆତି ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ । ବାଇଁଆ ଓ ଲିଟୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଦର୍ଶାଇଥିଲେ ।

ରାଜେଶଙ୍କ ଏତଲା ପରେ ବାଇଁଆ-ଲିଟୁଙ୍କ ସହଯୋଗୀ ତଥା ରାଜ୍ୟ ଛାତ୍ର ବିଜେଡିର ସମ୍ପାଦକ ବିବେକ ସ୍ୱାଇଁ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ବାଇଁଆ-ଲିଟୁଙ୍କୁ ସମର୍ଥନ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଅଶୋକ ପଣ୍ଡା ତାଙ୍କୁ ଧମକ ଦେଇଥିବା ସେ ଅଭିଯୋଗ କରିଥିଲେ । ଗାଡ଼ି ଚଢ଼ାଇ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଦର୍ଶାଇଥିଲେ ।

ବିଜେଡି କଳି ଥାନାରେ ପହଞ୍ଚିବା ପରେ ସ୍ଥିତି ଆହୁରି ଜଟିଳ ହୋଇଥିଲା । ଗତ ବିଏମସି ବୈଠକରେ ବାଇଁଆ ଓ ଲିଟୁଙ୍କ ଉପସ୍ଥିତିକୁ ବିରୋଧ କରି ବୁନୁ ଓ ଅଶୋକଙ୍କ ସମର୍ଥକ କର୍ପୋରେଟରମାନେ ବୈଠକକୁ ବର୍ଜନ କରିଥିଲେ ।

Related Posts