ବିଶ୍ୱରେ ଶାନ୍ତି ଏବଂ ବିକାଶ ପାଇଁ ବୈଶ୍ୱିକ ସଂସ୍ଥାରେ ସଂସ୍କାର ଲୋଡ଼ା : ମୋଦି

ଭୁବନେଶ୍ୱର,୨୪/୯(ସତ୍ୟପାଠ ବ୍ୟୁରୋ):  ବିଶ୍ୱରେ ଶାନ୍ତି ଏବଂ ବିକାଶ ପାଇଁ ବୈଶ୍ୱିକ ସଂସ୍ଥାରେ ସଂସ୍କାର ଲୋଡ଼ା। ଆଉ ଆଜିକା ଦିନରେ ଏହାର ରହିଛି ପ୍ରାସଙ୍ଗିକତା। ନ୍ୟୁୟର୍କ ସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ନିଜ ଅଭିଭାଷଣରେ ବିଶ୍ୱ ନେତାଙ୍କୁ ଏହି ଆହ୍ୱାନ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ୭୯ ତମ ସାଧାରଣ ସମ୍ମିଳନୀରେ ସମ୍ମିଟ୍ ଅଫ ଫ୍ୟୁଚରକୁ ସମ୍ବୋଧିତ କରି ମାତ୍ର ୪ ମିନିଟର ଭାଷଣରେ ମୋଦି କହିଛନ୍ତି, ‘ଗୋଟିଏ ପଟେ ଆତଙ୍କବାଦ ବିଶ୍ୱ ପାଇଁ ସବୁଠୁ ବଡ ବିପଦ ହୋଇ ରହିଛି, ଅନ୍ୟପଟେ ସମୁଦ୍ର ଏବଂ ମହାକାଶ ମଧ୍ୟ ଯୁଦ୍ଧକ୍ଷେତ୍ରରେ ପରିଣତ ହେଉଛି। କିନ୍ତୁ ମାନବିକତାର ସଫଳତା ଯୁଦ୍ଧକ୍ଷେତ୍ରରେ ନୁହେଁ ବରଂ ସାମୂହିକ ଏକତାରେ ରହିଛି।’

ସେହିଭଳି ବୈଷୟିକ ଜ୍ଞାନକୌଶଳର ନିରାପଦ ଓ ଦାୟିତ୍ୱବାନ ବ୍ୟବହାର ଉପରେ ମଧ୍ୟ ବିଶ୍ୱ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମୋଦି। ମୋଦି କହିଛନ୍ତି ସେ ଏଠାରେ ବିଶ୍ୱ ସମୁଦାୟର ୬ ଭାଗରୁ ଭାଗେ ମାନବ ସମ୍ବଳର ସ୍ୱର ଭାବେ ତାଙ୍କ ମତ ରଖୁଛନ୍ତି।

ଭାରତରେ ୨୫ କୋଟି ଲୋକଙ୍କୁ କିଭଳି ଦାରିଦ୍ର୍ୟର ତାଡ଼ନାରୁ ମୁକ୍ତି କରାଯାଇ ପାରିଛି, ତା’ର ଉଦାହରଣ ରଖି ନିରନ୍ତର ବିକାଶ ସଫଳତାକୁ ଆମେ ଦେଖିଛୁ ବୋଲି କହିଛନ୍ତି ମୋଦି।

Related Posts