ଆଜି ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅତୀଶି ମାର୍ଲେନା

ଭୁବନେଶ୍ୱର,୨୧/୯(ସତ୍ୟପାଠ ବ୍ୟୁରୋ):  ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ୍ ଆଦମୀ ପାର୍ଟିର ନେତ୍ରୀ ଅତୀଶି ମାର୍ଲେନା। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶି। ବିଜେପିର ସୁଷମା ସ୍ବରାଜ ଓ କଂଗ୍ରେସର ଶିଲା ଦିକ୍ଷୀତଙ୍କ ପରେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆଜି ସେ ଶପଥ ନେବାକୁ ଯାଉଛନ୍ତି। ଆଜି ଅପରାହ୍ଣ ୪ଟା ୩୦ରେ ଦିଲ୍ଲୀ ରାଜଭବନରେ ଆୟୋଜିତ ହେବ ଶପଥ ଗ୍ରହଣ ସମାରୋହ।

ଅତୀଶିଙ୍କ ସହ ଆପ୍ ର ୫ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ଅତୀଶିଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ଶିକ୍ଷା, ପୂର୍ତ୍ତ, ସଂସ୍କୃତି ଓ ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମେତ ପୂର୍ବରୁ ସେ ଦିଲ୍ଲୀ ସରକାରରେ ଅନେକ ବିଭାଗର ଦାୟିତ୍ୱ ତୁଲାଇଛନ୍ତି । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ପ୍ରାୟ ୬ ମାସ ପରେ ବେଲ୍ ରେ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେଜରିୱାଲ।

ରାଜନୀତିକୁ ଆସିବା ପୂର୍ବରୁ ଅକ୍ସଫୋର୍ଡ ୟୁନିଭରସିଟିରେ ଗ୍ରାଜୁଏସନ ଓ ଶିକ୍ଷକତା କରୁଥିଲେ ଅତୀଶି । ଏଥିସହ ସ୍ୱାମୀଙ୍କ ସହ ମିଶି ଜୈବିକ ଚାଷ କରୁଥିଲେ । ଏକ ପ୍ରଫେସର ପରିବାରରେ ବର୍ଷ ୧୯୮୧ରେ ଅତୀଶିଙ୍କ ଜନ୍ମ । ତାଙ୍କର ପିତାମାତା ବିଜୟ ସିଂ ଓ ତ୍ରିପ୍ତା ୱାହି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ରହିଛନ୍ତି । ଦିଲ୍ଲୀର ସ୍ପ୍ରିଙ୍ଗଡେଲ୍ସ ସ୍କୁଲରେ ସ୍କୁଲ ଶିକ୍ଷା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନ ସେଣ୍ଟ୍ ଷ୍ଟିଫେନସ କଲେଜରେ ସେ ବ୍ୟାଚଲର ଡିଗ୍ରୀ କରିଛନ୍ତି । ଏହାପରେ ଅକ୍ସଫୋର୍ଡ ୟୁନିଭରସିଟିରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ ମଧ୍ୟ କରିଛନ୍ତି ।

Related Posts