ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଅତୀଶି

ଭୁବନେଶ୍ୱର,୧୭/୯(ସତ୍ୟପାଠ ବ୍ୟୁରୋ):  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଅତୀଶି ମୋର୍ଲେନା । ଆମ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ଅତୀଶିଙ୍କ ନାଁରେ ସର୍ବସମ୍ମତିରେ ଆଜି ମୋହର ବାଜିଛି । ଅତୀଶି ଏବେ ଦିଲ୍ଲୀର କ୍ୟାବିନେଟ୍‌ ମନ୍ତ୍ରୀ ରହିଛନ୍ତି। ତାଙ୍କ ନିକଟରେ ଅର୍ଥ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ଓ କଳା ସଂସ୍କୃତି ଭଳି ୧୪ଟି ବିଭାଗର ଦାୟିତ୍ୱ ରହିଛି। ସେ କେଜ୍ରିଓ୍ୱାଲଙ୍କ ଅତ୍ୟନ୍ତ ବିଶ୍ୱସ୍ତ ହୋଇଥିବାରୁ ତାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ସେ ଆମ ଆଦମୀ ପାର୍ଟି ଗଠନ ଦିନରୁ ଦଳର ସଦସ୍ୟ ରହିଛନ୍ତି । ଅତିଶିଙ୍କ ବ୍ୟତୀତ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କ ସମେତ ଦଳର କିଛି ବରିଷ୍ଠ ନେତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା । ହେଲେ ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅତୀଶିଙ୍କ ନାଁ ନିଜେ କେଜ୍ରିୱାଲ ଘୋଷଣା କରିଛନ୍ତି।| 

ତେବେ ଏଠାରେ ସୂଚନା ଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରୁ ମୁକୁଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାନେଇ କେଜ୍ରିୱାଲ ଘୋଷଣା କରିଥିଲେ । ବିଜେପିକୁ ଟାର୍ଗେଟ କରିବା ସହିତ ପୁଣି ଥରେ ନିର୍ବାଚିତ ହୋଇ ନଆସିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନାହିଁ ବୋଲି ଘୋଷଣା କରିଥିଲେ । ତାଙ୍କ ସ୍ଥାନରେ ଆପର ଜଣେ ନେତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲେ କେଜ୍ରିୱାଲ । ଏହାସହିତ ଦିଳ୍ଲୀରେ ଶୀଘ୍ର ନିର୍ବାଚନ କରାଇବା ପାଇଁ ସେ ଆହ୍ୱାନ ଦେଇଥିଲେ । ଶେଷରେ ଆଜି ଅତୀଶିଙ୍କୁ ପରବର୍ତୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ଆଜି ଅପରାହ୍ନରେ କେଜ୍ରିୱାଲ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବେ ବୋଲି ସୂଚନା ମିଳିଛି | ଏହାପରେ ଅତୀଶି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

Related Posts