ଭୁବନେଶ୍ୱର,୨୨/୮(ସତ୍ୟପାଠ ବ୍ୟୁରୋ): ଚିକିଟି ମଦ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ। ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ସସ୍ପେଣ୍ଟ ପାଇଁ ନିର୍ଦ୍ଦେଶ ଦେଇଥିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ ଅବକାରୀ ମନ୍ତ୍ରୀ କହିବା ସହ ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି।
ଗତକାଲି ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିବା ବେଳେ ଆଜି ୨ ଅଧିକାରୀଙ୍କୁ ବଦଳି କରିଛନ୍ତି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ ବଦଳି କରାଯାଇଛି। ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କ କୋରାପୁଟକୁ ବଦଳି କରାଯାଇଥିବା ବେଳେ ଏସ୍ଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି ହୋଇଛନ୍ତି।
ବେଆଇନ ମଦ ଭାଟି ଏବଂ ବିକ୍ରି ସ୍ଥାନରେ ଚଢ଼ାଉ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚିକିଟି ମଦ ଟ୍ରାଜେଡିକୁ ନେଇ ହଇଚଇ ପରେ ରାଜ୍ୟବ୍ୟାପି ଜାରି ରହିଛି ଚଢ଼ାଉ। ଗତକାଲି ସଂଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ହଜାର ୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଗଲାଣି। ତା ଭିତରୁ ଗଞ୍ଜାମ ଜିଲ୍ଲାରୁ ହିଁ ୩୮୫ ଲିଟର ମଦ ଜବତ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।