ଭୁବନେଶ୍ୱର,୧୪/୮(ସତ୍ୟପାଠ ବ୍ୟୁରୋ): ଏସ୍ସିବି ମେଡିକାଲ କଲେଜ ପରିସରରେ ଜଣେ ଡାକ୍ତରୀ ଛାତ୍ରଙ୍କ ମା’ ଓ ମାଇଁ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏଭଳି ଜଘନ୍ୟକାଣ୍ଡ ଘଟାଇଛନ୍ତି ମେଡିକାଲ କଲେଜ ହୃଦ୍ରୋଗ ବିଭାଗର ଜଣେ ସିନିଅର୍ ରେସିଡେଣ୍ଟ୍ ଡାକ୍ତର। ବିଭାଗରେ ଡିଏମ୍ କରୁଥିବା ମଧ୍ୟପ୍ରଦେଶ ରାଜ୍ୟ ଭୋପାଳର ବାସିନ୍ଦା ଡାକ୍ତର ଦିଲବର୍ ସିଂହ ଠାକୁରଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଦୁଇ ପୀଡ଼ିତା ମହିଳା ଏବେ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ, କଟକ ବଡ଼ଡାକ୍ତରଖାନା ହୃଦ୍ରୋଗ ବିଭାଗକୁ ଗଲା ରବିବାର ଦିନ ପ୍ରାୟ ୧୦ଟା ବେଳେ ଜଣେ ପିଜି ଦ୍ବିତୀୟ ବର୍ଷ ଡାକ୍ତରୀ ଛାତ୍ର ତାଙ୍କ ମା’ ଓ ମାଇଁଙ୍କୁ ଚିକିତ୍ସା ପାଇଁ ଆଣିଥିଲେ। ଉଭୟ ହୃଦ୍ରୋଗରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସେଦିନ ଛୁଟି ଥିବାରୁ ବିଭାଗ ଏକପ୍ରକାର ଖାଲିଥିଲା। ଡାକ୍ତର ଦିଲବର ସିଂହ ଠାକୁର ସେମାନଙ୍କୁ ଇକୋ ରୁମ୍କୁ ନେଇ ଯାଇଥିଲେ। ଅନ୍ୟ କୌଣସି କର୍ମଚାରୀ ସେଠାରେ ନଥିବା ବେଳେ ଦିଲବର ସେମାନଙ୍କର ପରୀକ୍ଷା ଆଳରେ ଦୁଷ୍କର୍ମ କରିଥିଲେ। କିନ୍ତୁ ଏହି ପରୀକ୍ଷା ପରେ ସେମାନେ ଛାତି ଓ ଯୌନାଙ୍ଗରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତର ଉଭୟଙ୍କ ଯୌନାଙ୍ଗରେ ପରୀକ୍ଷା ସମୟରେ ବାରମ୍ବାର କିଛି କରିଥିବା ସେମାନେ ଅନୁଭବ କରିଥିଲେ। ୪୪ ଓ ୫୦ ବର୍ଷୀୟା ଏହି ଦୁଇ ମହିଳା ଘଟଣା ସଂପର୍କରେ ଡାକ୍ତରୀ ପଢୁଥିବା ପୁଅକୁ ପ୍ରଥମେ ଜଣାଇଥିଲେ। ଏହା ପରେ ଡାକ୍ତରୀ ଛାତ୍ରଙ୍କ ମା’ ଓ ମାଇଁ ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ଦିଲବରର ଏଭଳି କାର୍ଯ୍ୟକଳାପ ସଂପର୍କରେ ଜଣାପଡ଼ିବା ପରେ ତାଙ୍କୁ ପୁରୁଣା ଜେଣ୍ଟସ୍ ପିଜି ହଷ୍ଟେଲକୁ ଟେକି ନେଇ କେତେକ ଯୁବକ ନିସ୍ତୁକ ଛେଚିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ପୁଲିସ ଏହି ଅଭିଯୋଗ ଆଧାରରେ ସେହି ଦିନ ବିଏନ୍ଏସ୍ (ଭାରତୀୟ ନ୍ୟାୟ ସଂହିତା)ର ଧାରା ୬୪(୨)(ଇ)ରେ ଏକ ମାମଲା (କେସ୍ ନଂ ୨୦୧) ରୁଜୁ କରିଥିଲା। ପୁଲିସ ଉଭୟ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହିତ ବଡ଼ ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା କରିଥିଲା। ଏବେ ବି ଉଭୟ ପୀଡ଼ିତା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଅଭିଯୁକ୍ତ ଡାକ୍ତର ଦିଲବର ସିଂହକୁ ଗିରଫ କରାଯାଇ ଜେଏମ୍ଏଫ୍ସି ସିଟି କୋର୍ଟରେ ହାଜର କରାଯାଇ ଚୌଦ୍ବାର ସର୍କଲ ଜେଲକୁ ଚାଲାଣ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଡାକ୍ତର ଦିଲବର ସିଂହ ସମ୍ପୃକ୍ତ ପିଜି ଡାକ୍ତରୀ ଛାତ୍ରଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ତାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ଆଣିବା ପରେ ପୁଲିସ ପାଲଟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
କଟକ କମିସନରେଟ୍ ପୁଲିସ ଡିସିପି ଦାୟିତ୍ବରେ ଥିବା ଡିଆଇଜି ପ୍ରକାଶ. ଆରଙ୍କ ସୂଚନା ଅନୁଯାୟୀ, ଦୁଇ ପୀଡ଼ିତାଙ୍କୁ ଦୁଷ୍କର୍ମ ଘଟଣାରେ ଗୋଟିଏ ମାମଲା ରୁଜୁ ହୋଇ ଅଭିଯୁକ୍ତ ଡାକ୍ତରକୁ ଗିରଫ କରାଯାଇଛି। ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ଆଧାରରେ ଆଉ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଛି। ଏଡିସିପି ଅନିଲ ମିଶ୍ର କହିଛନ୍ତି ବର୍ତ୍ତମାନ ମାମଲାର ତଦନ୍ତ ଆରମ୍ଭ ହୋଇଛି। ପୀଡ଼ିତାଙ୍କ ବୟାନ ପୁଲିସ ରେକର୍ଡ କରିବା ସହିତ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ବୟାନ ରେକର୍ଡ କରିବାକୁ ପଦକ୍ଷେପ ନେଉଛି। ଏହି ଘଟଣାରେ ସାକ୍ଷୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ଜୟନ୍ତ ଦାସ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା, ତଦନ୍ତ ପ୍ରକ୍ରିୟାକୁ ବିଳମ୍ବିତ କରି ଅଭିଯୁକ୍ତକୁ ସୁରକ୍ଷା ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ କରି ଏହାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ଅଭିଯୁକ୍ତକୁ ସୁରକ୍ଷା ଦେବାର ପ୍ରୟାସ କରିଥିବା ଏସ୍ସିବି ମେଡିକାଲ କଲେଜର ଅଧିକାରୀ, ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ପ୍ରତ୍ୟେକ ପୀଡ଼ିତାଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ଆବେଦନ କରିଛନ୍ତି।