ନବ ଦାସ ହତ୍ୟା ମାମଲା; ଖୋଲିବ ଫାଇଲ, ଫିଟିବ ଗୁମର!

ଭୁବନେଶ୍ୱର,୧୩/୮(ସତ୍ୟପାଠ ବ୍ୟୁରୋ): ପୁଣି ଥରେ ଖୋଲିବ ନବ ଦାସ ହତ୍ୟା ମାମଲାର ଫାଇଲ। ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ୍ ରିଓପନ କରିବ ବିଜେପି ସରକାର। ଏ ନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ନବ ଦାସ ଜଣେ ବିଜେଡି ନେତା ହେଲେ ମଧ୍ୟ ସେ ରାଜ୍ୟର ଜଣେ ମନ୍ତ୍ରୀ ଥିଲେ। ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ହାଲକା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।

ତେବେ ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ସ୍ପଷ୍ଟ ଦିବାଲୋକରେ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ଏଏସଆଇ ଗୋପାଳ ଦାସ ଅତି ନିକଟରୁ ତାଙ୍କୁ ଗୁଳିକରି ହତ୍ୟା କରିଥିଲା। ଏହି ମାମଲାରେ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ହତ୍ୟାକାଣ୍ଡର କାରଣ ଉପରୁ ଏଯାଏଁ ପରଦା ହଟିନାହିଁ।

ସେହିଭଳି ଖାଲି ନବ ଦାସ ହତ୍ୟା ମାମଲା ନୁହେଁ, ଅନେକ ପୁରୁଣା କେସ ରିଓପନ କରାଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୦୮ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା ଏବଂ ୨୦୨୨ରେ ହୋଇଥିବା ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମଧ୍ୟ ରିଓପନ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେ‌ଇଛନ୍ତି।

ତେବେ ମମିତାଙ୍କ ହତ୍ୟା ମାମଲାରେ ତତକାଳୀନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଉଠିଥିଲା । ପରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବବା ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିଲେ । ଏସବୁ ମାମଲା ପୁଣି ଖୋଲିବା ନେଇ ଆଇନ ମନ୍ତ୍ରୀଙ୍କ ବୟାନ ପରେ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖିବାକୁ ମିଳିଛି । ତେବେ ନବୀନ ସରକାର ସମୟରେ ଘଟିଥିବା ଏସବୁ ବହୁ ଚର୍ଚିତ ହତ୍ୟାକାଣ୍ଡ ଉପରୁ ନୂଆ ସରକାର ପରଦା ହଟାଇ ପାରୁଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା |

Related Posts