ଭୁବନେଶ୍ୱର,୧୧/୮(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାର ଓଡ଼ିଶାକୁ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏକାଥରେ ଏତେ ଟଙ୍କାର ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଧନ୍ୟବାଦ ଦେଇଛନ୍ତି। ଲୋକସେବା ଭବନରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡ଼ିହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ଆମେ ବହୁତ ଖୁସି।
ସାରା ଓଡ଼ିଶାବାସୀ ଖୁସିବ୍ୟକ୍ତ କରିଛନ୍ତି। ଏହାଦ୍ବାରା ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଆର୍ଥିକ ବିକାଶ କ୍ଷେତ୍ରରେ ସହାୟକ ହେବ। ଏହା ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ। ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଦିଲ୍ଲୀ ଗସ୍ତ ସମୟରେ ଆପଣ(ରେଳ ମନ୍ତ୍ରୀ) ମୋତେ ମାତ୍ର ୫ ମିନିଟ ପାଇଁ ଚା’ ପିଇବାକୁ ଡାକିଥିଲେ। ତେବେ ଏହି ଚା’ ପିଇବାରେ ଆପଣ ଓଡ଼ିଶାକୁ ୬ଟି ପ୍ରକଳ୍ପ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ରେଳ ପ୍ରକଳ୍ପ କାର୍ଯ୍ୟନ୍ୱୟନ୍ ସମୟରେ ଜମି ଅଧିଗ୍ରହଣ ଏକ ମୁଖ୍ୟ ସମସ୍ୟା ହୋଇଥାଏ। ସେଥିପାଇଁ ପ୍ରକଳ୍ପର ତ୍ୱରିତ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ ସହିତ ଅନ୍ୟାନ୍ୟ ସମସ୍ତ ସହଯୋଗ ଯୋଗାଇ ଦେବେ। ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର ସଂଯୋଗ ଓ ଉତ୍ତର ଓଡ଼ିଶାର କେନ୍ଦୁଝର, ମୟୁରଭଞ୍ଜ ସହ ଝାଡଖଣ୍ଡକୁ ସଂଯୋଗ କରିବାକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଦ୍ବାରା ଏହା ବଡ଼ ପଦକ୍ଷେପ। ବିଶେଷକରି କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ରାୟଗଡା, କୋରାପୁଟ ଓ ମୟୁରଭଞ୍ଜ ଜିଲ୍ଲାର ଆର୍ଥିକ ବିକାଶରେ ଏହା ସହାୟକ ହେବ। ବିକାଶ ପ୍ରକ୍ରିୟାକୁ ତ୍ବରାନ୍ନିତ କରିବ। ଓଡ଼ିଶାର ପ୍ରତ୍ୟେକ ସବ୍ଡିଭିଜନକୁ ରେଳ ପହଞ୍ଚାଇବାକୁ ପୂର୍ବରୁ ରେଳମନ୍ତ୍ରୀଙ୍କୁ ଅବଗତ କରାଇଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଅବସରରେ କହିଥିଲେ।
ଆଲୋଚନା ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଞ୍ଜୁର ହୋଇଥିବା ସମସ୍ତ ପ୍ରକଳ୍ପ ଉପରେ ସୂଚନା ଦେଇ କହିଲେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ବିଭିନ୍ନ ପ୍ରାନ୍ତକୁ ଯୋଡ଼ିବାରେ ରେଳ ପ୍ରକଳ୍ପ ସଫଳ ହେବ। ଏକାଥରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର ଏକ ଐତିହାସିକ ପଦକ୍ଷେପ। ପୂର୍ବରୁ ବର୍ଷକୁ ମାତ୍ର ୪୦ କିମି ରେଳ ଲାଇନ ନିର୍ମାଣ ହେଉଥିବା ବେଳେ ଏବେ ପ୍ରତିବର୍ଷ ୩୦୦ କିମିରୁ ଅଧିକ ରେଳପଥ ନିର୍ମାଣ ହେଉଛି। ରାଜ୍ୟ ସରକାରଙ୍କ ସହିତ ମିଳିତ ଭାବେ ଉପଯୁକ୍ତ ପର୍ଯ୍ୟାଲୋଚନା କରାଯାଇ ନୂଆ ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରାଯିବ। ରେଳ କ୍ଷେତ୍ର ପାଇଁ ଆଗାମୀ ଦିନରେ ରାଜ୍ୟକୁ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି। ଏଥିସହ ସେ କହିଲେ ଗତକାଲି ସିସିଇଏ ଦ୍ବାରା ୧୫ ହଜାର କୋଟିର ୬ଟି ନୂତନ ରେଳ ପ୍ରକଳ୍ପ ଓଡ଼ିଶା ପାଇଁ ଅନୁ ମୋଦନ ହେବା ପରେ ସମୁଦାୟ ଇନ୍ଭେଷ୍ଟମେଣ୍ଟ ୭୦ ହଜାର କୋଟିରେ ପହଞ୍ଚିଛି। ପୁର୍ବରୁ ରାଜ୍ୟରେ ରେଳ କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ଇନଭେଷ୍ଟମେଣ୍ଟର ଘୋଷଣା କରାଯାଇଛି। ରାଜ୍ୟରେ ରେଳ ବିକାଶରେ ଅର୍ଥ ଆଦୌ ବାଧକ ନୁହେଁ। ପ୍ରତିବର୍ଷ ରାଜ୍ୟକୁ ରେଳ ଅନୁଦାନ ବଢ଼ିବାରେ ଲାଗିଛି। ପୂର୍ବ ଭାରତର ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ବଜେଟ୍ରେ ଯେଉଁ ପରିକଳ୍ପନା କରିଥିଲେ ତାହାକୁ ଗତକାଲିର ଐତିହାସିକ ନିଷ୍ପତ୍ତିରେ କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶାରେ ରେଳ, ସଡ଼କ ପରିବହନ, ବନ୍ଦର, ଟେଲିକମ୍ ଆଦି ବିକାଶରେ ପ୍ରଧାନମନ୍ତ୍ରୀ ଯଥେଷ୍ଟ ପ୍ରାଧାନ୍ୟ ଦେଉଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଥିଲେ।
ଏହି ଅବସରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ମାଳବିକା ଦେଓ, କେନ୍ଦୁଝର ସାଂସଦ ଅନନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କର୍ଯ୍ୟମକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ।