ଭୁବନେଶ୍ୱର,୬/୮(ସତ୍ୟପାଠ ବ୍ୟୁରୋ): ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନୀତି ଆୟୋଗ ଆଗେଇ ଆସିଛି। ଆଜି ଲୋକସେବା ଭବନରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବି.ଭି.ଆର୍ ସୁବ୍ରମନିୟମ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ-୨୦୪୭ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟାପକ ସମ୍ଭାବନା ରହିଛି। ସମ୍ଭାବନାକୁ ସଫଳତାରେ ପରିଣତ କରିବା ଓ ଉପଯୁକ୍ତ କାର୍ଯ୍ୟାନ୍ୱୟନ ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତରେ ଓଡ଼ିଶା ଏକ ଗ୍ରୋଥ୍ ଇଞ୍ଜିନ ହେବାର ଲକ୍ଷ୍ୟ ରହିଛି । ଏହାପୂର୍ବରୁ ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୧୦୦ବର୍ଷ ପୂରଣ ହେଉଛି । ତେଣୁ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟରେ ରଖି ଦୁଇଟି ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଏବେ ଓଡ଼ିଶାର ଅର୍ଥନୀତିର ଆକାର ୧୦୦ ବିଲିୟନ ଡଲାରରୁ ଅଧିକ ହୋଇଛି । ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ହାସଲ ପାଇଁ ଓଡ଼ିଶା ଲକ୍ଷ୍ୟ ରଖିଛି।
ସେହିପରି ନୀତି ଆୟୋଗ ସିଇଓ ଶ୍ରୀ ସୁବ୍ରମଣ୍ୟମ୍ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶାର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ରହିଛି। ୨୦୪୭ର ବିକାଶ ଭାରତ ଲକ୍ଷ୍ୟ ହାସଲ ପାଇଁ ସବୁ ରାଜ୍ୟର ବିକାଶ ଦରକାର। ଓଡ଼ିଶା କ୍ଷେତ୍ରରେ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ ବୋଲି ସେ କହିଛନ୍ତି।
ସେହିପରି ଏହି ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ । ନୀତି ଆୟୋଗ ସହଯୋଗରେ ଆସନ୍ତା ୩ମାସ ମଧ୍ୟରେ ଓଡ଼ିଶା ପାଇଁ ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ କରାଯିବ । ଏହି ଡକ୍ୟୁମେଂଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ବର୍ଗର ଲୋକଙ୍କଠୁ ମତାମତ ନିଆଯିବ । ଭିଜନ ଡକ୍ୟୁମେଂଟର କାର୍ଯ୍ୟାନ୍ୱୟନ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି ।
ଆଜିର ଏହି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।