ଭାରତ ଯୋଡ଼ ନ୍ୟାୟ ଯାତ୍ରା: ଓଡ଼ିଶାରେ ୪ ଦିନ ରହିବେ ରାହୁଲ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଆସି ଓଡ଼ିଶାରେ ୪ ଦିନ ରହିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚନ ଅବସରରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ଆଜି ଲୋଗୋ ଉନ୍ମୋଚନ କରିଛି ରାଜ୍ୟ କଂଗ୍ରେସ। ଏକ ନମ୍ବର ଜାରି କରିବା ସହ ସେହି ନମ୍ବରରେ ମିସ୍ କଲ୍ ଦେଇ ଏହି ଯାତ୍ରାରେ ସାମିଲ ହେବାକୁ ଲୋକଙ୍କୁ ଅପିଲ କରାଯାଇଛି।

ଓଡ଼ିଶାର ୪ଟି ଜିଲ୍ଲା ଦେଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡା ଦେଇ ଓଡ଼ିଶାରେ ଏହି ଯାତ୍ରା ହେବ। ଜାନୁୟାରୀ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ୬୬ ଦିନରେ ୧୫ଟି ରାଜ୍ୟ ଓ ୧୧୦ଟି ଜିଲ୍ଲା ଦେଇ ଯିବ।

ଏନେଇ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିବାକୁ ନିଷ୍ପତ୍ତି କରିଛନ୍ତି। ଏହି ଯାତ୍ରା ୬,୭୧୩ କିଲୋମିଟର ପରିକ୍ରମା କରିବ। ଏହା ମଣିପୁରରୁ ଆରମ୍ଭ କରାଯାଇ ମୁମ୍ବାଇରେ ଶେଷ କରାଯିବ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଝାରଖଣ୍ଡ ଦେଇ ଏହି ଯାତ୍ରା ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ ବୋଲି ସେ ସୂଚନା ଦେଇଛନ୍ତି।

Related Posts