ଭୁବନେଶ୍ୱର,୮/୧(ସତ୍ୟପାଠ ବ୍ୟୁରୋ): ବିବାଦ ପରେ ତିନି ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଲମ୍ବନ କଲେ ମାଳଦ୍ୱୀପ ସରକାର। ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେବା ସେମାନଙ୍କ ପାଇଁ ମହଙ୍ଗା ପଡିଛି। ମନ୍ତ୍ରୀ ମରିୟମ ଶିୟୁନା, ମାଲଶା ଏବଂ ହାସନ ଜିହାନଙ୍କୁ ମାଳଦ୍ୱୀପ ସରକାର ନିଲମ୍ବନ କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ Atoll Times ଏନେଇ ରିପୋର୍ଟ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ୱୀପ ଟ୍ରିପର ଫଟୋ ପଷ୍ଟୋ ପରେ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପ ସହ ତୁଳନା କରାଯାଇଥିଲା। ଏହାକୁ ନେଇ ମାଳଦ୍ୱୀପର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଭାରତକୁ ସମାଲୋଚନା କରିଥିଲେ। ମାଳଦ୍ୱୀପ ସୂଚନା ଏବଂ ସଂସ୍କୃତି ମନ୍ତ୍ରଣାଳୟରେ ଉପମନ୍ତ୍ରୀ ତଥା ମାଲେ ସିଟି କାଉନସିଲର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ମରିୟମ ଶିଉନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋକର ଏବଂ କଣ୍ଢେଇ ବୋଲି କହିଥିଲେ।
ଏଥିସହ ମାଳଦ୍ୱୀପ ସହ ଲାକ୍ଷାଦ୍ୱୀପକୁ ତୁଳନା କରାଯାଉଥିବାରୁ ପରିହାସ କଲା ପରି ଏକ ପୋଷ୍ଟ କରିଥିଲେ। ପରବର୍ତ୍ତୀ ସମୟରେ ସେ ହି ପୋଷ୍ଟକୁ ଡିଲିଟ୍ ମଧ୍ୟ କରିଦେଇ ଥିଲେ କିନ୍ତୁ ଏତିକିରେ ବିବାଦ ଥମିବାର ନାଁ ନେଇନଥିଲା । ଏହାକୁ ନେଇ ଏକ୍ସରେ ଟ୍ରେଣ୍ଡ କରିଥିଲା #BoycottMaldives।
ଏହି ବିବାଦ ପରେ ମାଳଦ୍ୱୀପକୁ ସର୍ବାଧିକ ଭ୍ରମଣ କରୁଥିବା ବଲିଉଡ କଳାକାରମାନେ ମଧ୍ୟ ସ୍ୱର ଉଠାଇବା ସହ ଲାକ୍ଷାଦ୍ୱୀପକୁ ପ୍ରଶଂସା କରିଥିଲେ ଏବଂ #ExploreIndianIslands କ୍ୟାମ୍ପନକୁ ସମର୍ଥନ କରିଥିଲେ। ବିବାଦ ଘନେଇବାରୁ ମାଳଦ୍ୱୀପ ସରକାର ଏହି ପ୍ରସଙ୍ଗରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ତେବେ “ଏପରି ଆପତ୍ତିଜନକ ଟିପ୍ପଣୀ ଦେଇଥିବା ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ତାଙ୍କ ସରକାର କେବେ ପଛଘୁଞ୍ଚା ଦେବ ନାହିଁ” ବୋଲି କହିଥିଲେ ମାଳଦ୍ୱୀପ ସରକାର । ପରେ କ୍ୟାବିନେଟର ତିନି ଜଣ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଇଥିବା ନେଇ ଚର୍ଚ୍ଚା ହେଉଛି।