ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନକୁ ଅଣଦେଖା କରିବେ । ବୁଧବାର ପଚରାଉଚରା ପାଇଁ ସେ ହାଜର ହେବେ ନାହିଁ । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଇଡିକୁ ଏକ ଚିଠି ଲେଖିଛନ୍ତି ।
ସେ ଲେଖିଛନ୍ତି, ‘ଇଡି ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି, କିନ୍ତୁ ଜାରି ହୋଇଥିବା ଏହି ସମନ ବେଆଇନ ଅଟେ’। ଅନ୍ୟପଟେ ଆଜି କେଜ୍ରିୱାଲଙ୍କ ବାସଭବନ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତିରେ ମାମଲାରେ ପଚରାଉଚରା ପାଇଁ କେଜ୍ରିୱାଲଙ୍କୁ ନୋଟିସ୍ ଜାରି କରିଥିଲା ଇଡି। ବୁଧବାର ସକାଳେ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖି ଏହାର ଜବାବ ଦେଇଛନ୍ତି । ଅନ୍ୟପଟେ ଆପ୍ କହିଛି ଯେ ସେମାନଙ୍କ ଉଦେଶ୍ୟ କେଜ୍ରିୱାଲଙ୍କୁ ଗିରଫ କରିବା । କେଜ୍ରିୱାଲଙ୍କୁ ନିର୍ବାଚନ ପ୍ରଚାର କରାଇ ନଦେବା ପାଇଁ ସେମାନେ ଚାହୁଁଛନ୍ତି । ନିର୍ବାଚନ ପୂର୍ବରୁ କାହିଁକି ନୋଟିସ୍ ପଠାଗଲା’।
ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ୱର 22ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତୃତୀୟ ଥର ପାଇଁ କେଜ୍ରିୱାଲଙ୍କୁ ନୋଟିସ୍ ଜାରି କରିଥିଲା । କିନ୍ତୁ ପୂର୍ବରୁ ଦୁଇ ନୋଟିସକୁ ବି ସେ ଅଣଦେଖା କରି ଏହାକୁ ବେଆଇନ ଏବଂ ରାଜନୀତିରୁ ପ୍ରେରିତ ବୋଲି କହିଥିଲେ ।