ବ୍ରିଜଭୂଷଣଙ୍କ ସହଯୋଗୀ ସଂଜୟ ହେଲେ ଭାରତୀୟ କୁସ୍ତି ସଂଘ ସଭାପତି, କାନ୍ଦି କାନ୍ଦି କୁସ୍ତି ଛାଡ଼ିଲେ ସାକ୍ଷୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫ୍‌ଆଇ)ର ବହୁ ବିଳମ୍ବିତ ନିର୍ବାଚନ ଗୁରୁବାର ସମ୍ପନ୍ନ ହୋଇଛି। ବିବାଦୀୟ ତଥା ବିଦାୟୀ ସଭାପତି ବ୍ରିଜଭୂଷଣ ସିଂହଙ୍କ ବ୍ୟାବସାୟିକ ସାଥୀ ସଂଜୟ ସିଂହ ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ଗୋଷ୍ଠୀ ମଧ୍ୟ ଅନ୍ୟ ବହୁ ପଦକ ଜିତି ନେଇଛନ୍ତି। ଉତ୍ତରପ୍ରଦେଶ କୁସ୍ତି ସଂଘର ଉପସଭାପତି ଥିବା ସଂଜୟ ସିଂହ ୪୦ ଭୋଟ୍ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଅନୀତା ‌ସେରନ୍‌ ମାତ୍ର ୭ଟି ପାଇଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ଅନୀତାଙ୍କ ଗୋଷ୍ଠୀ କିନ୍ତୁ ସାଧାରଣ ସମ୍ପାଦକ ପଦ ଜିତି ନେଇଛନ୍ତି। ଅନୀତା ହରିୟାଣା ସଂଘର ହୋଇଥିଲେ ମଧ୍ୟ ଓଡ଼ିଶାର ପ୍ରତିନିଧିତ୍ବ କରି ନିର୍ବାଚନ ଲଢ଼ିଥିଲେ। ଏହି ପ୍ରମୁଖ ପଦ‌ ଦୌଡ଼ରେ ଥିବା ଦର୍ଶନ ଲାଲଙ୍କୁ ୨୭-୧୯ରେ ହରାଇ ପ୍ରେମ ଚାନ୍ଦ ଲୋଲାବ ନୂଆ ସମ୍ପାଦକ ହୋଇଛନ୍ତି। ଏଥି ସହିତ ଦୀର୍ଘ ୧୧ ମାସ ଧରି ଭାରତୀୟ କୁସ୍ତି ସଂଘରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ଠିକଣା ସମୟରେ ନିର୍ବାଚନ କରିପାରି ନଥିବାରୁ ବିଶ୍ବ କୁସ୍ତି ସଂଘ ମଧ୍ୟ ଡବଲ୍ୟୁଏଫ୍‌ଆଇକୁ ନିଲମ୍ବିତ କରିଥିଲା। ଏବେ ଏହା ପ୍ରତ୍ୟାହୃତ ହୋଇଯିବ ବୋଲି ବିଶ୍ବାସ କରାଯାଉଛି।

ଅନ୍ୟ ପଦଗୁଡିକରେ ଦେବେନ୍ଦର, କର୍ତାର ସିଂହ ଉପସଭାପତି, ଆର୍‌ କେ ପୁରୁ‌ଷୋତ୍ତମ ଯୁଗ୍ମ ସମ୍ପାଦକ, ସତ୍ୟପାଲ ସିଂହ ଦେଶୱାଲ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ୨୦୧୯ ପର୍ଯ୍ୟନ୍ତ ଡବଲ୍ୟୁଏଫ୍‌ଆଇର ଯୁଗ୍ମ ସମ୍ପାଦକ ଥିବା ସଂଜୟ ସିଂହ ୬ ଥର ସାଂସଦ ବ୍ରିଜ ଭୂଷଣ ସିଂହଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ। ବ୍ରିଜଭୂଷଣ ୧୨ ବର୍ଷ ଧରି ସଭାପତି ରହିଥିବା ବେଳେ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗ ପରେ ସଂଘଠାରୁ ଦୂରେଇ ରହିଛନ୍ତି। ସଂଜୟ ସିଂହ ମଧ୍ୟ ଆର୍‌ଏସ୍‌ଏସ୍‌ର ଜଣେ ସକ୍ରିୟ ବ୍ୟକ୍ତି ଭାବେ ପରିଚିତ। ଏବେ ଭାରତୀୟ କୁସ୍ତି ସଂଘ ମଧ୍ୟ ସଂଜୟଙ୍କ ଜରିଆରେ ବ୍ରିଜଭୂଷଣଙ୍କ ଦ୍ବାରା ପରିଚାଳିତ ହେବ ବୋଲି ବିଶ୍ବାସ କରାଯାଉଛି। ବିଜୟ ପରେ ନୂଆ ସଭାପତି ସଂଜୟ ସିଂହ କହିଛନ୍ତି ‘ଏହା ହଜାର ହଜାର କୁସ୍ତିଯୋଦ୍ଧାଙ୍କ ବିଜୟ, ଯେଉଁମାନେ ବିଗତ ୬/୭ ମାସ ହେବ ସଂଘର୍ଷ କରୁଥିଲେ। ଆମେ ରାଜନୀତି ସହ ରାଜନୀତି ଏବଂ କୁସ୍ତିଯୋଦ୍ଧା ସହ କୁସ୍ତିଯୁଦ୍ଧ ଲଢ଼ିବୁ।’

‘ଦବ୍‌ଦବା ଥିଲା, ଦବ୍‌ଦବା ରହିବ’; ବ୍ରିଜଭୂଷଣଙ୍କ ବୟାନକୁ ନେଇ ଚର୍ଚ୍ଚା

ଭାରତୀୟ କୁସ୍ତି ସଂଘର ନିର୍ବାଚନ ପରେ ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ‘ଦବ୍‌ଦବା’ ବିବୃତି ଏବେ ସର୍ବାଧିକ ଚର୍ଚ୍ଚାରେ ରହିଛି। ଦେଶର ପ୍ରମୁଖ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗ ପରେ ବ୍ରିଜଭୂଷଣ କ୍ଷମତାରୁ ବିଦା ହୋଇଥିଲେ। କିନ୍ତୁ ଏମିତି ବି ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲା। କିନ୍ତୁ ବିବାଦୀୟ ପରିସ୍ଥିତି କାରଣରୁ ନିର୍ବାଚନ ଠିକ୍ ସମୟରେ ସମ୍ପନ୍ନ ହୋଇପାରି ନଥିଲା। ଶେଷରେ ସୁପ୍ରି‌ମକୋର୍ଟଙ୍କ ହସ୍ତକ୍ଷେପ ପରେ ଡିସେମ୍ବର ୨୧ ତାରିଖରେ ନିର୍ବାଚନ ସଫଳତାର ସହ ଶେଷ ହୋଇଛି। ପରୋକ୍ଷରେ ବ୍ରିଜଭୂଷଣ ଗୋଷ୍ଠୀଙ୍କ ବିଜୟ କାରଣରୁ ଫଳାଫଳ ପ୍ରକାଶ ପାଇବା ମାତ୍ରେ ଏହି ଭାଜପା ସାଂସଦ କହିଛନ୍ତି ‘ଦବ୍‌ଦବା ଥିଲା, ଦବ୍‌ଦବା ରହିବ’। ଏଥି ସହ ବ୍ରିଜଭୂଷଣଙ୍କ ବୟାନ ସ୍ପଷ୍ଟ କରି ଦେଇଛି ତାଙ୍କ ପ୍ରାଧାନ୍ୟ ଜାରି ରହିବ। ଦୀର୍ଘ ୧୧ ମାସର ‘ଗ୍ରହଣ’ ଦୂର ହୋଇଛି, ଏହି ବିଜୟ ଦେଶର କୁସ୍ତିଯୋଦ୍ଧାଙ୍କ ବିଜୟ। ଦେଶର ପ୍ରତି ଆଖଡ଼ାରେ ଏବେ ଆତଶବାଜି ଫୁଟିଲାଣି। ୧୦ ଦିନ ଭିତରେ ଦେଶରେ କୁସ୍ତିର ଚେହେରା ବଦଳିଯିବ ଏବଂ ଅଲିମ୍ପିକ୍ସ ଆମ ତୁରନ୍ତ ଲକ୍ଷ୍ୟ ବୋଲି ବ୍ରିଜଭୂଷଣ ପ୍ରକାଶ କରିଥିଲେ। ନବନିର୍ବାଚିତ ସଭାପତି ସଂଜୟ ସିଂହ କହିଛନ୍ତି ‘ଏହା ମିଛ ଉପରେ ସତ୍ୟର ବିଜୟ’।

କାନ୍ଦି କାନ୍ଦି କୁସ୍ତି ଛାଡ଼ିଲେ ସାକ୍ଷୀ

ନିର୍ବାଚନ ଫଳାଫଳ ପରେ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ବ ନେଉଥିବା ଅଲିମ୍ପିକ୍ ପଦକ ବିଜୟିନୀ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କାନ୍ଦି ପକାଇବା ସହ ଖେଳ ଛାଡ଼ି‌ଦେବେ ବୋଲି ଭାବବିହ୍ବଳ ହୋଇ ପ୍ରକାଶ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଜୋତା ଥୋଇ ସାକ୍ଷୀ କହିଛନ୍ତି ‘କୁସ୍ତିଯୋଦ୍ଧ‌ାମାନେ ଚାହୁଁଥିଲେ ଡବଲ୍ୟୁଏଫ୍‌ଆଇରେ ଜଣେ ମହିଳା, ପ୍ରତିନିଧିତ୍ବ କରନ୍ତୁ। ଆମେ ଲଢ଼ିଲୁ, କିନ୍ତୁ ଏବେ ବ୍ରିଜଭୂଷଣଙ୍କ ସହଯୋଗୀ କ୍ଷମତାକୁ ଆସିଥିବାରୁ ମୁଁ ଖେଳ ଛାଡ଼‌ିଦେଉଛି’। ସାକ୍ଷୀଙ୍କୁ ସମର୍ଥନ କରୁଥିବା ଅନ୍ୟତମ ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟ କହିଥିଲେ ‘ମୋର ଏଥି ସହ କିଛି କରିବାର ନାହିଁ, କିନ୍ତୁ ଦେଶର ମହିଳା କୁସ୍ତିଯୋଦ୍ଧାଙ୍କୁ ନିର୍ଯାତନା ଶିକାର ଜାରି ରହିବ। ଏ ଦେଶରେ ନ୍ୟାୟ ମିଳିବା କଷ୍ଟକର। କୁସ୍ତିଯୋଦ୍ଧାଙ୍କ ଖେଳ ଜୀବନର ଅନ୍ଧକାର ଭିତରକୁ ଯାଇଛି। କୁଆଡ଼େ ଯିବୁ ଜାଣିପାରୁନାହୁଁ’।

Related Posts