ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କ ନିଯୁକ୍ତି ସଂପର୍କିିତ ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହୋଇଛି ।ରାଜ୍ୟସଭା ପରେ ଆଜି ଲୋକସଭାରେ ପାସ୍ ହୋଇଛି ଏହି ଗୁରୁତ୍ବପୂର୍ଣ୍ଣ ବିଲ୍ । ବିରୋଧୀ ଦଳ ସଦସ୍ୟଙ୍କ ଅନୁପସ୍ଥିତିରେ ପାସ୍ ହୋଇଥି ବିଲ୍ । ଏହାସହିତ ସଂସଦର ଅନୁମୋଦନ ଲାଭ କରିଛି ସିଇସି ଏବଂ ଇସିଏସ୍ ବିଲ୍ । ପାର୍ଲାମେଣ୍ଟରେ ପାସ ପରେ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ରାଷ୍ଟ୍ରପତି ସ୍ବୀକୃତି ପ୍ରଦାନ କରିବା ପରେ ଏହା ଆଇନରେ ପରିଣତ ହେବ ।
ପୂର୍ବରୁ ରାଜ୍ୟସଭାରେ ପାରିତ ହୋଇଥିଲା ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କ ନିଯୁକ୍ତି ଓ କାର୍ଯ୍ୟକାଳ ସମ୍ପର୍କିତ ବିଲ୍। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ବିଲ୍କୁ ରାଜ୍ୟସଭାରେ ଆଗତ କରିଥିଲେ । ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ବାଚନିକ ଭୋଟରେ ଏହା ପାସ୍ ହୋଇଥିଲା । ଏହି ସଂଶୋଧନ ବିଲକୁ ଅଗଷ୍ଟ 10 ତାରିଖରେ ଗୃହରେ ଆଗତ କରାଯାଇଥିଲା । ମୁଖ୍ୟ ନିର୍ବାଚନ କମିଶନର ଓ କମିଶନ ର ଅନ୍ୟ ସଦସ୍ୟଙ୍କ ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ ସମ୍ପର୍କିତ 1991- ଅଧିନିୟମର ଏହା ହେଉଛି ସଂଶୋଧିତ ଅଧିନିୟମ ।
ନୂଆ ସଂଶୋଧିତ ଅଧିନିୟମ ଅନୁସାରେ, ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କ ନିଯୁକ୍ତି, ବେତନ, ସର୍ତ୍ତାବଳୀ ଏବଂ ଆବଶ୍ୟକ ସ୍ଥଳେ ଦାୟିତ୍ବରୁ ଅବ୍ୟାହତି କ୍ଷମତା ପ୍ରତ୍ୟେକ୍ଷ ଭାବେ ସରକାରଙ୍କ ନିକଟରେ ନ୍ୟସ୍ତ ରହିବ । ପ୍ରଧାନମନ୍ତ୍ରୀ, କେନ୍ଦ୍ର କ୍ଯାବିନେଟ ମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା କିମ୍ବା ବୃହତ୍ତମ ବିରୋଧୀ ଦଳର ଜଣେ ନେତାଙ୍କୁ ନେଇ ଏକ ଚୟନ କମିଟି ଗଠନ ହେବ । ଏହି କମିଟି ଏହି ସମ୍ପର୍କିତ ନିଷ୍ପତ୍ତି ଚୂଡ଼ାନ୍ତ କରି ରାଷ୍ଟ୍ରପତିଙ୍କୁ ଅନୁମୋଦନ ପାଇଁ ସୁପାରିଶ କରିବ । ଏହି କମିଟି ସୁପାରିଶ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ଆୟୁକ୍ତଙ୍କୁ ନିଯୁକ୍ତିକୁ ଅନୁମୋଦନ ଦେବେ ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ଜଷ୍ଟିସ ଜୋସେଫଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ କହିଥିଲେ ଯେ, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ନିର୍ବାଚନ କମିଶନରଙ୍କୁ ଚୟନ କରିବେ। ନିର୍ବାଚନ କମିଶନରଙ୍କ ସ୍ବାଧୀନତା ଏବଂ ନିରପେକ୍ଷତା ନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ନୂଆ ସଂଶୋଧିତ ବିଲରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇଛି। ନୂଆ ସଂଶୋଧନ ବିଲ୍ ଅନୁଯାୟୀ, ସିଇସି, ପୂର୍ବତନ ସିଇସି କିମ୍ବା ଇସିଙ୍କ ବିରୋଧରେ କୌଣସି ସିଭିଲ୍ କିମ୍ବା କ୍ରିମିନାଲ୍ ମାମଲାଗୁଡ଼ିକରେ ସୁପ୍ରିମକୋର୍ଟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ।