ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲୋକସଭାରେ ୩ଟି ଅପରାଧିକ ଆଇନ ବିଲ୍ ଉପରେ ଆଲୋଚନା ହୋଇଛି। ଏହି ଆଲୋଚନାର ଉତ୍ତର ଦେଇ ଗୃହମନ୍ତ୍ରୀ ଅମିତ ଶାହା ଗୃହରେ କହିଛନ୍ତି ଯେ ମୋଦୀ ସରକାର ବ୍ରିଟିଶ ଯୁଗର ଆଇନକୁ ବଦଳାଉଛନ୍ତି । ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ଆମୂଳକ ପରିବର୍ତ୍ତନ ଘଟୁଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ଔପନିବେଶିକ ଆଇନରୁ ମୁକ୍ତି ବିଷୟରେ କହିଥିଲେ, ଯାହା ଅଧୀନରେ ଗୃହ ମନ୍ତ୍ରଣାଳୟ ଅପରାଧିକ ଆଇନ ପରିବର୍ତ୍ତନ ପାଇଁ ଗଭୀର ଚିନ୍ତା କରିଥିଲା।
ନୂଆ ଆଇନରେ ଥିବା ବ୍ୟବସ୍ଥା ସଂପର୍କରେ ଶାହା କହିଛନ୍ତି ଯେ ପ୍ରସ୍ତାବିତ ଆଇନ ‘ଭାରତୀୟ ନ୍ୟାୟ ସଂହିତା’ରେ ଭିଡ଼ ହିଂସା ପାଇଁ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି । ଲୋକସଭାରେ ଅପରାଧିକ ନ୍ୟାୟ ବ୍ୟବସ୍ଥା ସହ ଜଡିତ ତିନୋଟି ନୂଆ ବିଲ୍ ଉପରେ ବିତର୍କର ଉତ୍ତର ଦେଇ ଅମିତ ଶାହା କହିଛନ୍ତି, ବ୍ୟକ୍ତିଗତ ସ୍ୱାଧୀନତା, ମାନବିକ ଅଧିକାର ଏବଂ ସମସ୍ତଙ୍କ ସହ ସମାନ ବ୍ୟବହାରର ତିନୋଟି ନୀତି ଆଧାରରେ ନୂତନ ଆଇନ ପ୍ରସ୍ତୁତ କରାଯାଉଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଅପରାଧିକ ନ୍ୟାୟ ବ୍ୟବସ୍ଥା ସହ ଜଡିତ ତିନୋଟି ଆଇନକୁ ମାନବୀକରଣ କରାଯିବ ।
ଶାହା କହିଛନ୍ତି, ନୂଆ ଆଇନରେ ମହିଳା ଓ ଶିଶୁମାନଙ୍କ ସଂପର୍କିତ ଆଇନଗୁଡ଼ିକ ଉପରେ ପ୍ରାଥମିକତା ଦିଆଯାଇଛି । ସେହିପରି ମାନବ ଅଧିକାର ଓ ରାଷ୍ଟ୍ରୀୟ ସୁରକ୍ଷା ସଂପର୍କିତ ଆଇନ ଉପରେ ବି ପ୍ରାଥମିକତା ଦିଆଯାଇଛି ।