ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିର୍ବାଚନ ଆୟୋଗ ଆଜି ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ ଅଞ୍ଜନୀ କୁମାର ନିଲମ୍ବନକୁ ରଦ୍ଦ କରିଛନ୍ତି । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଅର୍ଥାତ ଭୋଟ ଗଣତି ଚାଲିଥିବାବେଳେ କଂଗ୍ରେସ ନେତା ରେବନ୍ଥ ରେଡ୍ଡିଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇ ଆଚାରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗ ଅଞ୍ଜନୀ କୁମାରଙ୍କ ବିରୋଧରେ ଆସିବା ପରେ ତାଙ୍କୁ ପଦରୁ ନିଲମ୍ବିତ କରା ଯାଇଥିଲା ।
ସୂଚନାଯୋଗ୍ୟ ଯେ, ଡିସେମ୍ବର ୩ ତାରିଖରେ ଭୋଟ ଗଣତି ଚାଲିଥିବାବେଳେ କଂଗ୍ରେସ ବହୁମତ ସହ ଆଗେଇ ଚାଲିଥିଲା । ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା । ଗଣତି ଚାଲିଥିବା ସମୟର ଡିଜିପି ଅଞ୍ଜନୀ କୁମାର ରେବନ୍ଥ ରେଡ୍ଡିଙ୍କୁ ତାଙ୍କ ବାସ ଭବନରେ ଭେଟିବାକୁ ଯାଇଥିଲେ । ସେ ରେବନ୍ଥ ରେଡ୍ଡିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ଫୁଲତୋଡା ଉପହାର ଦେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅଞ୍ଜନୀ କୁମାରଙ୍କ ସହ ରାଜ୍ୟ ପୋଲିସ ଅଧିକାରୀ ସଞ୍ଜୟ କୁମାର ଜୈନ ଏବଂ ମହେଶ ଏମ ଭାଗବତ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଫଟୋ ସାମ୍ନାକୁ ଆସିବା ପରେ ଜୋରଦାର ବିରୋଧ ହୋଇଥିଲା । ଏପରି କରି ଡିଜିପି ନର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ମଧ୍ୟ କୁହାଯାଇଥିଲା । ଏହାପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଞ୍ଜନୀଙ୍କୁ ନିଲମ୍ବନ କରିଥିଲେ । ନିର୍ବାଚନ କମିଶନର କହିଥିଲେ, ଡିଜିପିଙ୍କର ଏପରି କାମ ଜୁନିଅର କର୍ମଚାରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଅଞ୍ଜନୀଙ୍କ ନିଲମ୍ବନ ପରେ ସିନିଅର ଆଇପିଏସ ଅଧିକାରୀ ରବି ଗୁପ୍ତାଙ୍କୁ ତେଲେଙ୍ଗାନା ଡିଜିପି ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ହେଲେ ଏବେ ଅଞ୍ଜନୀ କୁମାରଙ୍କ ନିଲମ୍ବନ ରଦ୍ଦ କରି ଦିଆ ଯାଇଛି ।