ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ଶିବରାଜଙ୍କୁ ସାଇଡ ମାରିଲା ବିଜେପି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ସାଇଡ ମାରି ଆଜି ବିଜେପି ବିଧାୟକ ଦଳର ନେତା ଭାବେ ମୋହନ ଯାଦବ ମନୋନୀତ ହୋଇଛନ୍ତି। ବିଧାୟକ ଦଳ ନେତା ଭାବେ ଶ୍ରୀ ଯାଦବ ଏବେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇବେ।

ତେବେ ମୋହନ ଉଜ୍ଜୟୀନ ଦକ୍ଷିଣ ଆସନରୁ ଜିତିଛନ୍ତି। ସେ ଏଥରକୁ ମିଶାଇ କ୍ରମାଗତ ୩ୟ ଥର ପାଇଁ ବିଧାନସଭାକୁ ଯାଇଛନ୍ତି। ଦଳର ଅନ୍ୟତମ ବରିଷ୍ଠ ନେତା ଭାବେ ୫୮ ବର୍ଷୀୟ ମୋହନ ଯାଦବ ବେଶ ପରିଚିତ। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବାନେଇ ଚର୍ଚ୍ଚା ମଧ୍ୟ ହେଉ ନଥିଲା। ସେପଟେ ମୋହନ ଯାଦବଙ୍କ ଡେପୁଟି ଭାବେ ଦୁଇ ଜଣ କାମ କରିବେ। ଜଗଦୀଶ ଦେଭଡା ଓ ରାଜେନ୍ଦ୍ର ଶୁକ୍ଳା ମଧ୍ୟପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ। ଛତିଶଗଡ଼ରେ ମଧ୍ୟ ବିଜେପି ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ନେତାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଥିଲା।

ଡିସେମ୍ବର ୩ରେ ପ୍ରକାଶିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ରେଜଲ୍ଟ ବିଜେପି ସପକ୍ଷରେ ଯାଇଥିଲା। ଏଠାରେ ଦଳ ସରକାର ଗଠନ କରିବାକୁ ଆବଶ୍ୟକ ଜନମତ ପାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିଲେ। ଦୌଡ଼ରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଠାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପ୍ରହ୍ଲାଦ ପଟେଲ ପ୍ରମୁଖ ରହିଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ମୋହନ ଯାଦବ ବାଜି ମାରି ନେଇଛନ୍ତି। ତେବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ହାଇକମାଣ୍ଡ ନିଷ୍ପତ୍ତିରେ ସାମାନ୍ୟ ନିରାଶ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ମୋହନ ଯାଦବଙ୍କ ରାଜନୀତିକ କ୍ୟାରିୟର ୨୦୧୩ରେ ଆରମ୍ଭ ହୋଇଥିଲା। ସେ ୨୦୧୩ରେ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ। ଏହାପରେ ୨୦୧୮ ଓ ଏବେ ୨୦୨୩ ବିଧାନସଭା ନିର୍ବାଚନରେ ମଧ୍ୟ ସେ ଜିତିଛନ୍ତି। ରାଜ୍ୟ ରାଜନୀତିରେ ଯାଦବ ସଂପ୍ରଦାୟର ପ୍ରଭାବ ବେଶ ଅଧିକ ରହିଛି। ୨୦୨୦ ଜୁଲାଇ ୨ରେ ସେ ଶିବରାଜ ସିଂହ ଚୌହାନଙ୍କ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମୋହନ ଯାଦବ କ୍ୟାବିନେଟ ମନ୍ତ୍ରୀ ହେବାରୁ ବିଜେପିର ଯାଦବ ଭୋଟ ବ୍ୟାଙ୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥିଲା। ଶିବରାଜଙ୍କ ସରକାରେ ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିଲେ।

Related Posts