ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତ ରାଷ୍ଟ୍ରସଂଘରେ ମିଶିବା ବେଳେ ଜମ୍ମୁ ଓ କଶ୍ମୀର ତା’ର ସାର୍ବଭୌମତ୍ବ ବା ଅଭ୍ୟନ୍ତରୀଣ ସାର୍ବଭୌମତ୍ବ ଧରି ରଖି ନ ଥିଲା ବୋଲି କହି ଆଜି ଭାରତର ପ୍ରଧାନ ବିଚାର ପତି ଡି. ୱାଇ. ଚନ୍ଦ୍ରଚୂଡ଼ ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ୪ ବର୍ଷରୁ ଅଧିକ ହେବ ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରାଯାଇ ସେଠାରେ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଯାଇଛି।ଗୋଟିଏ ହେଉଛି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଅନ୍ୟଟି ହେଉଛି କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ।
ଧାରା ୩୭୦ ଉଚ୍ଛେଦର ସାମ୍ବିଧାନିକ ବୈଧ୍ୟତାକୁ ଚାଲେଞ୍ଜ୍ କରି ‘ପିଡିପି’ ଓ ‘ଏନ୍ସି’ ଦାଏର କରିଥିବା କେତେକ ପିଟିସନ୍ ଉପରେ ଆଜି ସୁପ୍ରିମ୍ କୋର୍ଟର ୫ ବିଚାରପତିବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ସର୍ବସମ୍ମତ ହୋଇ ରାୟ ଶୁଣାଇ କହିଛନ୍ତି ଯେ, ଏହି ଉଚ୍ଛେଦ ଆଦେଶ ସାମ୍ବିଧାନିକ ଭାବେ ବୈଧ୍ୟ ଅଟେ। ଏଥିରେ ରାଷ୍ଟ୍ରପତିଙ୍କ କ୍ଷମତାର ଅପପ୍ରୟୋଗ କରାଯାଇ ନାହିଁ।
ରାୟ ଶୁଣାଇବା ବେଳେ ସୁପ୍ରିମ୍ କୋର୍ଟ କହିଛନ୍ତି, ସେତେବେଳେ ରାଜ୍ୟରେ ଯୁଦ୍ଧ ପରିସ୍ଥିତି ଥିବାରୁ ଧାରା ୩୭୦ ଥିଲା ଏକ ଅସ୍ଥାୟୀ ବ୍ୟବସ୍ଥା। ଏହାଛଡ଼ା, ଜମ୍ମୁ ଓ କଶ୍ମୀରର ଅନ୍ୟ ରାଜ୍ୟମାନଙ୍କଠାରୁ ପୃଥକ୍ ଅଭ୍ୟନ୍ତରୀଣ ସାର୍ବଭୌମତ୍ବ ନାହିଁ। ସମ୍ବିଧାନରେ ମଧ୍ୟ ଜମ୍ମୁ ଓ କଶ୍ମୀରର ସାର୍ବଭୌମତ୍ବ ଥିବା କଥା ଉଲ୍ଲେଖ ନାହିଁ। ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ହେବା କଥା ଭାରତର ସମ୍ବିଧାନର ଧାରା ୧ ଓ ୩୭୦ରେ ସୁସ୍ପଷ୍ଟ।
ପରିଶେଷରେ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ୨୦୧୪ ସେପ୍ଟେମ୍ବର ସୁଦ୍ଧା ଜମ୍ମୁ ଓ କଶ୍ମୀରରେ ନିର୍ବାଚନ କରାଇବା ଲାଗି ପଦକ୍ଷେପ ଗ୍ରହଣ କରାଯାଇ ତୁରନ୍ତ ରାଜ୍ୟ ପାହ୍ୟା ଫେରାଇ ଦିଆଯାଉ।
ଉଲ୍ଲେଖଯୋଗ୍ୟ, ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଓ ବିଚାରପତି ସଞ୍ଜୟ କିଷନ୍ କୌଲ୍, ସଞ୍ଜୀବ ଖାନ୍ନା, ବି. ଆର୍. ଗୱାଇ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ସୁପ୍ରିମ୍ କୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଧାରା ୩୭୦ ଉଚ୍ଛେଦ କରାଯିବାର ବୈଧ୍ୟତା ଉପରେ ଆଜିର ଏହି ରାୟ ଶୁଣାଇଛନ୍ତି।